ତିହିଡି଼ – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ରାଜନଗର ପଞ୍ଚାୟତ ଅଧୀନ ଖଡ଼ିଜାଣ ଓ ଲଷ୍ମୀପ୍ରସାଦ ଗ୍ରାମର ବନ୍ୟା ବିପନ୍ନମାନଙ୍କ ନିକଟରେ ରିଲିଫ ଚାଉଳ ପହଞ୍ଚାଇବାକୁ ଦାବିକରି ଗ୍ରାମବାସୀ ବିଡ଼ିଓଙ୍କୁ ଭେଟି ଦାବି କରିଛନ୍ତି। ଏଥି ସହିତ ସହକାରୀ ଯନ୍ତ୍ରୀ ତନୁଜା ମିଶ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ସସ୍ମିତା ବାରିକ ଓ ଏଡିଇଓ ପ୍ରଶାନ୍ତ ସାହୁଙ୍କୁ ଦାୟିତ୍ୱରୁ ଅପସାରଣ ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି l ଅଭିଯୋଗ ମୁତାବକ, ଖଡ଼ିଜାଣ ଓ ଲଷ୍ମୀପ୍ରସାଦ ଗ୍ରାମ ବନ୍ୟା ଦ୍ୱାରା ୩ଥର ପ୍ରଭାବିତ ହୋଇଥିବା ବେଳେ ବିପନ୍ନମାନଙ୍କୁ ରିଲିଫ ବଣ୍ଟନରେ ଅନିୟମିତତା କରା ଯାଇଛି l ଏହି ଅନିୟମିତତାରେ ସମ୍ପୃକ୍ତ ଥିବା ସହକାରୀ ଯନ୍ତ୍ରୀ, ପିଇଓ ଓ ଏଡିଇଓଙ୍କୁ ଅପସାରଣ କରାଯିବା ସହ ରିଟେଲର କେନ୍ଦ୍ର ପରିବର୍ତ୍ତେ ଗ୍ରାମର ବିପନ୍ନମାନଙ୍କ ପାଖରେ ରିଲିଫ ଚାଉଳ ପହଞ୍ଚାଇବା ପାଇଁ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି l ଏଥିସହ ଏହି ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି l ଏହା କରାନଗଲେ ସେମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି। ସେହି ୨ ଗ୍ରାମର ଅନାଦି ଚରଣ ବାରିକ, ଗଙ୍ଗାଧର ମହାକୁଡ଼, ପ୍ରହ୍ଲାଦ ମହାକୁଡ଼, ଚୈତନ୍ୟ ସେଠୀ, ଭାସ୍କର ମହାକୁଡ଼, ଅଭୟ ଦାସ, ଜଳନ୍ଧର ଦାସ, ଗୌରାଙ୍ଗ ବାରିକ, ବାବାଜୀ ମହାକୁଡ଼, ଅନାଦି ଦାସ, ବୁଲୁ ଦାସ ପ୍ରମୁଖ ବିଡ଼ିଓ ଏବଂ ତହସିଲଦାରଙ୍କୁ ସାକ୍ଷତ କରିଥିବା ବେଳେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି l ତେବେ ସରକାରୀ ନିୟମାନୁଯାୟୀ ସବୁଠି ରିଲିଫ ବଣ୍ଟନ କରାଯାଉଥିବା ବେଳେ ରାଜନଗର ପଞ୍ଚାୟତରେ ମଧ୍ୟ ସେହି ନିୟମରେ ରିଲିଫ ଚାଉଳ ବଣ୍ଟନ କରାଯିବ ବୋଲି ବିଡ଼ିଓ ନିରଞ୍ଜନ ବାରିକ ବିପନ୍ନମାନଙ୍କୁ କହିଥିଲେ।

