ତିହିଡ଼ି, ୨୫.୦୯: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମର ବରିଷ୍ଠ ସଙ୍ଗୀତଜ୍ଞ ବଙ୍କିମ ଚନ୍ଦ୍ର ନାୟକ(୬୫)ଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେବ କିଡ଼ନୀଜନିତ ରୋଗରେ ପୀଡ଼ିତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସ୍ୱର୍ଗତ ନାୟକ ଜଣେ ସଙ୍ଗୀତ ସାଧକ ଏବଂ ବାଦ୍ୟକାର ଭାବେ ସୁପରିଚିତ ଥିଲେ । ତିହିଡି଼ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ତାଙ୍କଠାରୁ ହାରମୋନିୟମ, ତବଲା ଇତ୍ୟାଦିରେ ଶିକ୍ଷା ଗ୍ରହଣ କରି ରାଜ୍ୟସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ତିହିଡି ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲରେ ୧୯୯୩ ମସିହାରୁ ଶିକ୍ଷା କର୍ମଚାରୀ ଭାବେ କାର୍ଯ୍ୟରତ ରହି ସୁଚାରୁ ରୁପେ ନିଜର କର୍ତ୍ତବ୍ୟ କରି ସୁନାମ ଅର୍ଜନ କରିଥିଲେ । ସେ ମଧ୍ୟ ସ୍କୁଲର ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିଲେ । ସେ ଚାକିରିରୁ ଅବସର ନେଇ ସଙ୍ଗୀତ ଚର୍ଚ୍ଚା କରୁଥିଲେ । ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ବିଜୟ କୁମାର ନାୟକଙ୍କ ଦାଦା ଅଟନ୍ତି । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଧାମନଗର ବରିଷ୍ଠ ବିଜେଡ଼ି ନେତା ଡା. ସଞ୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ ଲତା ନାୟକ, ଜିଲ୍ଲାପରିଷଦ ସଭ୍ୟା ରୁଜାତା ପଣ୍ଡା, ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ପୂର୍ବତନ ସରପଂଚ ହରେକୃଷ୍ଣ ଜେନା, ଶଶଧର ସାମଲ, ଆଦିତ୍ୟ ଜେନା, ବିଶ୍ୱରଞ୍ଜନ ନାୟକ ଓ ବିଷ୍ଣୁ ଜେନା, ସମିତି ସଭ୍ୟ ଭାଗିରଥି ମଲିକ, ଜୟ ପ୍ରକାଶ ମଲ୍ଲିକ, ଚିନ୍ତାମଣି ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ସମିତି ସମ୍ପାଦକ ଅମରେନ୍ଦ୍ର ନାୟକ, ଶିଶିର ପଣ୍ଡା, ଶରତ ମଲିକଙ୍କ ସମେତ ତିହିଡି଼ ହାଇସ୍କୁଲର ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗିରିଜା ରମଣ ଜେନା, ଶିକ୍ଷା କର୍ମଚାରୀ ପଞ୍ଚାନନ ଦତ୍ତ, କୃର୍ତ୍ତିବାସ ଜେନା ଓ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିବା ଜଣା ଯାଇଥିବା ବେଳେ ପୁଅ ସୌମ୍ୟରଂଜନ ମୁଖାଗ୍ନି ଦେଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

