ବସ୍ତା ଭିତରୁ ବାହାରିଲା ବଣ୍ଡଲ ବଣ୍ଡଲ ଟଙ୍କା । ଆପଣଙ୍କ ଆଖି ଖୋସି ହୋଇଯିବ ଦେଖିଲେ ଗୋଟିଏ କି ଦୁଇଟି ବସ୍ତା ନୁହେଁ । ରୁମ ଭିତରେ ପଡିଛି ଏଭଳି ଅନେକ ବସ୍ତା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ଘର ଜଣେ ବୃଦ୍ଧା ମହିଳାଙ୍କର । ଯିଏକି ଭିକ ମାଗି ଚଳୁଥିଲେ । ଏବେ କିନ୍ତୁ ଏ ଦୁନିଆରେ ଆଉ ନାହାନ୍ତି । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା । ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଘରକୁ ପହଞ୍ଚିଥିଲେ ସ୍ଥାନୀୟ ଲୋକ ଏବଂ ସମ୍ପର୍କୀୟ । ଘର ଭିତରେ ଥିଲା ଅନେକ ବସ୍ତା । ପ୍ରଥମେ କେହି ସନ୍ଦେହ କରିନଥିଲେ । କିନ୍ତୁ ବସ୍ତା ଖୋଲିବା ପରେ ସମସ୍ତଙ୍କ ହୋସ୍ ଉଡ଼ିଗଲା । କାରଣ ବସ୍ତା ଭିତରେ ଥିଲା ବିଡ଼ା ବିଡ଼ା ନଗଦ ଟଙ୍କା।
ସୂଚନା ଅନୁସାରେ ବୃଦ୍ଧା ମହିଳା ଜୀବନସାରା ଭିକ୍ଷା ମାଗି ଜୀବିକା ନିର୍ବାହ କରୁଥିଲେ । ଅତ୍ୟନ୍ତ ସାଧାରଣ ଜୀବନ ବିତାଉଥିଲେ । କିନ୍ତୁ ଘର ଭିତରେ ସଞ୍ଚୟ କରି ରଖିଥିଲେ ଲକ୍ଷ ଲକ୍ଷ ଟଙ୍କା । ଘଟଣା ପରେ ସମଗ୍ର ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କେବଳ ଟଙ୍କା ମିଳିବା ନୁହେଁ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ବୃଦ୍ଧାଙ୍କ କିଛି ସମ୍ପର୍କୀୟ ଦାବି କରିଛନ୍ତି ଏହି ଟଙ୍କା ଉପରେ ସେମାନଙ୍କର ଅଧିକାର ରହିଛି । ଅନ୍ୟପଟେ ଟଙ୍କାର ପ୍ରକୃତ ମାଲିକାନାକୁ ନେଇ ଉଠିଛି ପ୍ରଶ୍ନ । କାହାକୁ ମିଳିବ ଏହି ଟଙ୍କା । ତାହାକୁ ନେଇ ବଢ଼ିଛି ଉତ୍ସୁକତା ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ନଗଦ ଟଙ୍କାକୁ ନେଇ ଆରମ୍ଭ କରିଛି ତଦନ୍ତ । ସମସ୍ତ ଦାବି ଓ ଦସ୍ତାବିଜ ଯାଞ୍ଚ ପରେ ଟଙ୍କା କାହାକୁ ହସ୍ତାନ୍ତର କରାଯିବ ନା ସରକାରୀ ପ୍ରକ୍ରିୟା ଅନୁଯାୟୀ ଅନ୍ୟ କୌଣସି ନିଷ୍ପତ୍ତି ହେବ । ତାହା ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ । ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ସମ୍ପୂର୍ଣ୍ଣ ସତ ।

