ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି
କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢୀ ଏବଂ ଜିଲ୍ଲା ସଭାପତି ଈଶ୍ଵର ଚନ୍ଦ୍ର ବେହେରା ସମ୍ବୋଧିତ କଲେ
ଅନ୍ୟମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପୁଷ୍ଟି, ସମ୍ପାଦକ ପ୍ରଶାନ୍ତ ଘଣ୍ଟିଆ ଓ ରଞ୍ଜିତ ଆଚାର୍ଯ୍ୟ, ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ତାପସ କୁମାର ମହାନ୍ତି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୈରାଗୀ ଚରଣ ବେହେରା, ସାଧାରଣ ସମ୍ପାଦକ ସୌଭାଗ୍ୟ ମାନସ ନାୟକ ଓ ଅକ୍ଷୟ କୁମାର ବିଶ୍ବାଳ ଉପସ୍ଥିତ ଥିଲେ।
୧. କ୍ଷୟକ୍ଷତି ଏବଂ ପ୍ରଭାବିତ ଜନସଂଖ୍ୟା:
ପ୍ରଭାବିତ ବ୍ଲକ:- ଜିଲ୍ଲାର ୦୬ଟି ବ୍ଲକ (ବାଲେଶ୍ଵର, ଭୋଗରାଇ, ବାଲିଆପାଳ, ବସ୍ତା, ରେମୁଣା ଏବଂ ଜଳେଶ୍ଵର) ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାଛଡା ନିଳଗିରି, ଔପଦା, ବାହାନଗା ଓ ସୋର ମଧ୍ୟ ପ୍ରଭାବିତ ହୋଇଛି।
ପ୍ରଭାବିତ ଜନସଂଖ୍ୟା ଓ ଗୃହ:- ୫୦ଟି ପଞ୍ଚାୟତର ୩୨୭ଟି ଗ୍ରାମର ପ୍ରାୟ ୩,୨୧,୨୧୮ ଜଣ ଲୋକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି। ଏହା ସହିତ ପ୍ରାୟ ୨୨୫ଟି ବାସଗୃହ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ୨ଟି ଗୁହାଳ ନଷ୍ଟ ହେଇଛି।
ଜୀବନ ହାନି:- ଆନନ୍ଦର ବିଷୟ ଯେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବନ୍ୟା କିମ୍ବା ସର୍ପାଘାତ ଜନିତ କୌଣସି ମାନବ ଜୀବନ ହାନି ହୋଇନାହିଁ।
୨. ଜରୁରୀକାଳୀନ ସେବା ଓ ପୁନରୁଦ୍ଧାର:
ପାନୀୟ ଜଳ ଯୋଗାଣ:- ବନ୍ୟାଞ୍ଚଳରେ ୨୭୧୦ଟି ନଳକୂପ ଓ ୧୬୪ଟି ପାଇପ୍ ଜଳ ପ୍ରକଳ୍ପ ପ୍ରଭାବିତ ହୋଇଥିଲା। ସେଥିମଧ୍ୟରୁ ପ୍ରଶାସନ ଦ୍ଵାରା ୧୬୩୦ଟି ନଳକୂପ ଓ ୧୦୭ଟି ଜଳ ପ୍ରକଳ୍ପକୁ ବିଶୋଧନ କରାଯାଇଛି। ଜଳକ୍ଲିଷ୍ଟ ଅଞ୍ଚଳରେ ୪୦ଟି ୱାଟର ଟାଙ୍କର ଏବଂ ୧,୭୬,୭୨୮ଟି ପାଣି ବୋତଲ ମାଧ୍ୟମରେ ସ୍ଵଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉଛି।
ବିଦ୍ୟୁତ ଓ ଯୋଗାଯୋଗ:- ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସଂଯୋଗର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଦୂରସଂଚାର ଟାୱାର ସୁରକ୍ଷିତ ଥିବାବେଳେ ଯୋଗାଯୋଗ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି।
୩. ଆଶ୍ରୟସ୍ଥଳୀ, ମାଗଣା ରୋଷେଇ ଓ ରିଲିଫ୍ ବଣ୍ଟନ:
ଉଦ୍ଧାର ଏବଂ ଆଶ୍ରୟ:- ବିଭିନ୍ନ ତଳିଆ ଅଞ୍ଚଳରୁ ସାମଗ୍ରିକ ଭାବେ ୧,୧,୬୬୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଜିଲ୍ଲାରେ ୮୯ଟି ମାଗଣା ରୋଷେଇ ଏବଂ ରିଲିଫ୍ କେନ୍ଦ୍ର ସକ୍ରିୟ ଭାବେ କାର୍ଯ୍ୟ କରୁଛି।
ଖାଦ୍ୟ ସାମଗ୍ରୀ:- ବିପନ୍ନମାନଙ୍କୁ ଗତକାଲି ସୁଦ୍ଧା ୫୨୩.୨ କ୍ଵିଣ୍ଟାଲ ଚୁଡ଼ା/ମୁଢ଼ି ଏବଂ ୩୧.୪ କ୍ଵିଣ୍ଟାଲ ଗୁଡ଼/ଚିନି ବଣ୍ଟନ କରାଯାଇଛି। ୩୮,୧୩୯ ଜଣ ଲୋକଙ୍କୁ ପ୍ରତ୍ୟେକ ଦିନ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
୪. ସ୍ୱାସ୍ଥ୍ୟ ଏବଂ ଜନସ୍ୱାସ୍ଥ୍ୟ ପଦକ୍ଷେପ:
ଚିକିତ୍ସା ଦଳ:- ସମସ୍ତ ଆଶ୍ରୟସ୍ଥଳୀରେ ୧୪ଟି ଚିକିତ୍ସା ସହାୟତା ଦଳ (MRC) ଏବଂ ୧୦ଟି ମୋବାଇଲ୍ ହେଲଥ୍ ୟୁନିଟ୍ (MHU) ନିୟୋଜିତ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ୯୯୪ ଜଣ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି।
ଔଷଧ ମହଜୁଦ:- ଜରୁରୀକାଳୀନ ପରିସ୍ଥିତି ପାଇଁ ବର୍ତ୍ତମାନ ୫୪୪୬ଟି ସର୍ପାଘାତ ପ୍ରତିଷେଧକ (Anti-Snake Venom), ୩,୪୮,୦୪୫ଟି ORS ପ୍ୟାକେଟ୍ ଏବଂ ୧,୧୫,୭୧୯ ଲିଟର IV ଫ୍ଲୁଇଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ମହଜୁଦ ରଖାଯାଇଛି।
୫. କୃଷି ଓ ପଶୁ ସମ୍ପଦ କ୍ଷୟକ୍ଷତି:
ଫସଲ ହାନି:- ପ୍ରାୟ ୩,୨୦,୮୪୫ ହେକ୍ଟର ଚାଷ ଜମିରେ ଫସଲ ସମ୍ପୂର୍ଣ୍ଣ ରୂପେ ବନ୍ୟା ଜଳରେ ବୁଡ଼ି ରହିଛି।
ପଶୁ ଚିକିତ୍ସା ଓ ଖାଦ୍ୟ:- ପ୍ରଭାବିତ ୧,୬୨,୮୨୮ ପଶୁପକ୍ଷୀଙ୍କ ପାଇଁ ୧୨ଟି ପଶୁ ଚିକିତ୍ସା ଦଳ ମାଧ୍ୟମରେ ୭୪ଟି ସ୍ୱତନ୍ତ୍ର ଶିବିର କରାଯାଇ ୨୦୨୭ଟି ପଶୁଙ୍କୁ ଟୀକାକରଣ କରାଯାଇଛି।
ଏହା ସହିତ ୧୧୦ ମେଟ୍ରିକ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଛି।
୬. ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବାହିନୀ:- କ୍ଷେତ୍ରସ୍ତରରେ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୦୪ଟି NDRF ଦଳ, ୦୫ଟି ODRAF ଦଳ ଏବଂ ୧୨ଟି ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ଭାବେ ନିୟୋଜିତ ଅଛନ୍ତି।
୭. ଉଦ୍ଧାର କାର୍ଯ୍ୟ ଓ ସହାୟତାରେ ବିଜେପିର ଭୂମିକା:- ଦଳ ଏବଂ ଦଳର ସମସ୍ତ ଛାମୁଆଁ ସଂଗଠନ ସହିତ ସାଂସଦ, ବିଧାୟକ, ବିଧାୟକ ପ୍ରାର୍ଥୀମାନେ ପୃଥକ୍ ପୃଥକ୍ ଭାବେ ପ୍ରଥମ ଦିନରୁ ପ୍ରଶାସନ ସହିତ ସାମଞ୍ଜସ୍ୟ ରଖି ଉଦ୍ଧାରକାର୍ଯ୍ୟ ଓ ସହାୟତାରେ କାର୍ଯ୍ୟରତ ଅଛନ୍ତି। ପ୍ରଶାସନିକ ବ୍ୟବସ୍ଥା ବାଦେ ଦଳୀୟ ଲୋକପ୍ରତିନିଧି ଓ ନେତୃତ୍ଵଙ୍କ ଉଦ୍ୟମରେ ହଜାର ହଜାର ଲୋକଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।
ସାମ୍ପ୍ରତିକ ସ୍ଥିତି:- ବର୍ତ୍ତମାନ ସୁଦ୍ଧା ବାଲେଶ୍ଵର ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ସତର୍କ ନଜର ରଖିଛି।
ଆମର ମୁଖ୍ୟ ଦାବି:- ବନ୍ୟା ପ୍ରଭାବିତ ଲୋକଙ୍କର ଭାଙ୍ଗିଥିବା ଓ କ୍ଷତିଗ୍ରସ୍ତ ହୋଇଥିବା ଘର, ବିଶେଷକରି ଚାଷୀମାନଙ୍କର ବ୍ୟାପକ ଫସଲ କ୍ଷୟକ୍ଷତିର ଯଥାର୍ଥ ଆକଳନ କରି ଶୀଘ୍ର କ୍ଷତିପୂରଣ ଓ କୃଷି ସହାୟତା ପ୍ରଦାନ କରାଯିବା ଦରକାର।
ବର୍ତ୍ତମାନ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ ଓ ରୋଗ ନିୟନ୍ତ୍ରଣ ଉପରେ ପ୍ରଶାସନକୁ ନିରନ୍ତର ନଜର ରଖିବାକୁ ହେବ।
ଧନ୍ୟବାଦ।
(ଜିଲ୍ଲା ମିଡ଼ିଆ ଓ ଆଇଟି ସେଲ୍ )

