ଲଘୁଚାପ ଜନିତ ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ବି ଏ ଯାବତ ଅନେକ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି ।

ବିଗତ ୩ଦିନ ଧରି ବନ୍ୟା ପ୍ରଭାବିତ ପଂଚାୟତକୁ ବୋଟ ବା ଡଙ୍ଗା ଯୋଗେ ସଦର ପହଂଚି ଲୋକଙ୍କୁ ଆଶ୍ୱସ୍ତି ଦେବା ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି କ୍ରମରେ ବିଧାୟକ ଶ୍ରୀ ଦତ୍ତ ଶୁକ୍ରବାର ପ୍ରଥମେ ବାହାବଳପୁର ପଂଚାୟତର ନୂଆଗାଁ ଗ୍ରାମରେ

ପହଂଚି ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ ନେଇ ବ୍ୟବସ୍ଥାର ସୁପରିଚାଳନା ଉପରେ ମଧ୍ୟ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । ପରେ ଏଣ୍ଡ୍ରାଇ ଓ ରାଘବପୁର ଗ୍ରାମରେ ଘରକୁ ଘର ବୁଲି ବିଧାୟକ ଶ୍ରୀ ଦତ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ବାହାବଳପୁର ପଂଚାୟତରରେ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି ।

ସେହିପରି ଜଳକା ନଦୀ ବନ୍ୟା ଜଳ ଘେରରେ ଥିବା ଛାନୁଆ ପଂଚାୟତର ଭଦ୍ରସିଆ ଗ୍ରାମରେ ପହଂଚି ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ବିଧାୟକ ଶ୍ରୀ ଦତ୍ତ । ଏହା ସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ପରେ ସବୁଠାରୁ ଅଧିକ ବନ୍ୟାପ୍ରବଣ ଅଂଚଳ ଛାନୁଆ ପଂଚାୟତର ଗୋବରା ଗ୍ରାମରେ ପହଂଚିଥିଲେ ବିଧାୟକ ଶ୍ରୀ ଦତ୍ତ । ଏହି ଅବସରରେ ତାଙ୍କ ସହ ସ୍ଥିତି ପରିଖିବା ପାଇଁ ଯାଇଥିଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ । ବିଧାୟକଙ୍କ ସହ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ତହସିଲଦାର ଏନଡିଆରଏଫ ବୋଟ ଯୋଗେ ଯାଇ ଗୋବରା ଗ୍ରାମର ଜନଜୀବନ ଏବଂ ଚାଷର କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ବନ୍ୟା ପିଡ଼ିତଙ୍କ ସହ ଆଲୋଚନା କରିଥିଲେ । ଗ୍ରାମର ଅଧିକାଂଶ ଘର ଜଳବନ୍ଦୀ ଅବସ୍ଥାରେ ଥିବାରୁ ସ୍ଥାନୀୟ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବା ଉପରେ ଉଭୟ ବିଧାୟକ ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସେମାନେ ବନ୍ୟା ପିଡ଼ିତଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ । ପ୍ରତ୍ୟେକ ବନ୍ୟା ପିଡିତଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରିଲିଫ ସହାୟତା ପହଂଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ବନ୍ୟା ବିପର୍ଯ୍ୟୟର ଏହି କଠିନ ସମୟରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରହିବା ଏବଂ ସମସ୍ତ ପ୍ରକାର ସହାୟତା ପହଂଚାଇବା ପାଇଁ ଆମେ ସଦା ତତ୍ପର ରହିଛୁ ବୋଲି ସେ କହିଛନ୍ତି ।

