ପୁରୀ,୩୦/୭- ଶ୍ରୀମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ନୀଳକନ୍ଦର ରତ୍ନସିଂହାସନରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ତିନିରଥରେ ନବଦିନାତ୍ମକ ଯାତ୍ରା କରିଥିଲେ । ଜନ୍ମବେଦୀ ଆଡପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ । ବାହୁଡାଦିନ ତିନିରଥରେ ବାହୁଡିବା ପରେ ସୁନାବେଶ, ଅଧରପଣା ନୀତି ପରେ ଶ୍ରୀମନ୍ଦିରକୁ ନିଳାଦ୍ରିନାଥ ନିଳାଦ୍ରି ବିଜେ କରିଥିଲେ । ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି । ଭକ୍ତ ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ମହାପ୍ରଭୁଙ୍କ ଏହି ଯାତ୍ରାରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଥିଲା । ଏବେ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଠାରେ ତିନିରଥ ଚାରିପଟ ଶୂନ୍ଯ ଶୂନ୍ଯ ଲାଗୁଛି । ବ୍ଯାରିକେଡ କରାଯାଇଛି । ରଥାରୁଢ ମହାପ୍ରଭୁଙ୍କ ରଥକୁ ଭକ୍ତ ଛୁଇଁବା କଷ୍ଟସାଧ୍ୟ ହୋଇଥିବା ବେଳେ ଏବେ ସେହି ତିନିରଥ ଶୂନ୍ଯକୁ ଚାହିଁ ରହିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଯିବା ପୂର୍ବରୁ ଶ୍ରଦ୍ଧାଳୁ ତିନିରଥକୁ ଚାହିଁବା ସହ ମୁଣ୍ଡିଆ ମାରି ସିଂହଦ୍ୱାରରେ ପ୍ରବେଶ କରୁଛନ୍ତି । ରଥ ନିର୍ମାଣ ପାଇଁ ମହାରଣା ସେବକ ମାନଙ୍କୁ ଦୁଇମାସରୁ ଅଧିକ ସମୟ ଲାଗିଥିଲା । ରଥ ଭାଙ୍ଗିଯିବା କଥା ଭାବି ଭକ୍ତ ବ୍ଯଥିତ ହେଉଛି । ରଥ ଚାରିପଟ ଏବେ ଶୂନଶାନ ଲାଗୁଛି । ରଥରେ ପଡିଥିବା ରଥ କନା ସୁନ୍ଦର ଲାଗୁଥିବା ବେଳେ ତାହା ମଧ୍ଯ କଢାଯିବ । ରଥର ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ଯ ଅପସାରଣ କରାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯିବ । ରଥ ନିର୍ମାଣ ସମୟରେ ନଥର ହରିବୋଲ ପଡିଥାଏ । କିନ୍ତୁ ରଥଭଙ୍ଗା ହେଲେ ହରିବୋଲ ପଡିନଥାଏ । ଏହା ସବୁ ମହାପ୍ରଭୁଙ୍କ ଲୀଳା ବୋଲି ଭକ୍ତ ମାନେ କହୁଛନ୍ତି ।

