ଭଦ୍ରକ: ୪୮୮ ଅଧ୍ୟାପକ-କର୍ମଚାରୀ ସଂଘର ଚେତାବନୀ: ପେନସନ ଓ ପ୍ରମୋସନ ନମିଳିଲେ ସମୂହ ଇଚ୍ଛାମୃତ୍ୟୁ ପାଇଁ ମାଗିବେ ଅନୁମତି। ୪୮୮ ବର୍ଗ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟାପକ-କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ବିଧାନସଭା ଲୋୟର ପିଏମଜିରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଡ. ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୩ ହଜାର ଅଧ୍ୟାପକ ଓ କର୍ମଚାରୀ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କର ଦୀର୍ଘ ଦିନର ଅମୀମାଂସିତ ପ୍ରାପ୍ୟ ଦାବିରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୧୯୯୦ ପରଠାରୁ ନିଯୁକ୍ତ ଏହି ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ୨୦୦୯ ମସିହାରେ ତତ୍କାଳୀନ ସରକାର ବ୍ଲକଗ୍ରାଣ୍ଟ ପରିସରଭୁକ୍ତ କରି ଚାକିରି ସର୍ତ୍ତାବଳୀ ଓ ପେନସନରୁ ବଞ୍ଚିତ କରିଥିଲେ। ୨୦୧୭ରେ ପୂର୍ଣ୍ଣ ଅନୁଦାନ ନୀତି ଘୋଷଣା ହୋଇଥିଲେ ମଧ୍ୟ ଅମଲାତାନ୍ତ୍ରିକ ଚକ୍ରବ୍ୟୂହ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯିଏ କି ସେତେବେଳେ ବିରୋଧୀ ଦଳ ନେତା ଥିଲେ, ସେ ସେତେବେଳେ ଆନ୍ଦୋଳନ ସ୍ଥଳକୁ ଆସି ତାଙ୍କ ଦଳ ସରକାରକୁ ଆସିଲେ ତୁରନ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କ୍ଷମତାକୁ ଆସିବା ପରେ ଦାବି ପୂରଣ ନକରି ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଛଅ ମାସ ସମୟ ନେଇଛନ୍ତି, ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଂଘ ଅଭିଯୋଗ କରିଛି ଯେ ଆବଶ୍ୟକୀୟ ୫୦୦ କୋଟି ବଦଳରେ ସରକାରୀ ସ୍ତରରେ ୨୦ ହଜାର କୋଟିର ମିଥ୍ୟା ହିସାବ ଦର୍ଶାଇ ଦାବିକୁ ଏଡ଼ାଇବା ପାଇଁ ଅମଲାତାନ୍ତ୍ରିକ ଚକ୍ରାନ୍ତ କରାଯାଉଛି। ସରକାର ଅଦାଲତରେ ମୋକଦ୍ଦମା ଲଢ଼ିବା ମନୋଭାବ ପରିତ୍ୟାଗ କରି ଏକକ ଖଣ୍ଡପୀଠ ଆଧାରରେ ସମସ୍ତଙ୍କୁ ପୁରୁଣା ପେନସନ, ଚାକିରି ସର୍ତ୍ତାବଳୀ ସହ ପଦୋନ୍ନତି ଓ ଏମ୍.ଏ.ସି.ପି. ପ୍ରଦାନ କରାଯିବାକୁ ସଂଘ ପ୍ରସ୍ତାବ ରଖିଛି। ସଂଘର ସଭାପତି ଡ. ପ୍ରଧାନଙ୍କ ସହିତ ପ୍ରମୁଖ ନେତୃମଣ୍ଡଳୀ ଭାବେ ଡ. ସତ୍ୟନାରାୟଣ ସାହୁ, ବନମାଳୀ ବାରିକ, ବିଜୟ ବାରିକ, ଅଟଳ ବଳ, ପ୍ରିୟରଞ୍ଜନ ରଥ, ଡ. ଗୋବିନ୍ଦ ଚନ୍ଦ୍ର ବାଗ ପ୍ରମୁଖ ଅଧ୍ୟାପକ ପ୍ରତିନିଧିଗଣ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ କେବଳ କଥାରେ ନୁହେଁ, କାମରେ ‘ଲୋକଙ୍କ ସରକାର’ ବୋଲି ପ୍ରମାଣିତ ହେବା ଦରକାର। ଯଦି ସରକାର ନିଦାବିଷ୍ଣୁ ସାଜିବେ ତେବେ ଅବସର ପରେ ପେନସନ ନଥିବାରୁ ଔଷଧ ଟିକିଏ ପାଇଁ ହନ୍ତସନ୍ତ ହେଉଥିବା ଶିକ୍ଷକ ଓ ଅଧ୍ୟାପକ ସମୂହ ଭାବେ ଇଚ୍ଛାମୃତ୍ୟୁ କାମନା କରି ସରକାର ତଥା ବିଚାର ବିଭାଗଠାରୁ ଅନୁମତି ମାଗିବେ ବୋଲି ଚେତାବନୀ ଦେଇଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ।

