ତିହିଡି, ୨୯.୦୬: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ତିହିଡ଼ି ଗ୍ରାମର କମଳାକାନ୍ତ ପଣ୍ଡାଙ୍କ ପୁଅ ଶଶିକାନ୍ତ (୩୬) ନାମକ ଜନୈକ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇ ଯାଇଛି । ସ୍ୱର୍ଗତଃ ପଣ୍ଡା ପ୍ରତିଦିନ ପରି ସୋମବାର ତିହିଡ଼ି ବଜାରରେ ଥିବା ତାଙ୍କ ମୁଢ଼ି ତିଆରି ବ୍ୟବସାୟ ପ୍ରତିଷ୍ଠାନ ଭିତରେ ଥିବାବେଳେ ଏକ ଶବ୍ଦ ହୋଇଥିଲା । ପାଖ ଦୋକାନୀ କଣ ହେଲା ଜାଣିବା ପାଇଁ ଯିବା ପରେ ଶଶିକାନ୍ତ ତଳେ ପଡ଼ିଥିବା ଦେଖିଥିଲେ । ତାଙ୍କୁ ତୁରନ୍ତ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ବିଦ୍ୟୁତ ଆଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି । ତିହିଡ଼ି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ପରେ ଶବ ବ୍ୟବଚ୍ଛେଦ କରା ଯାଇଥିଲା । ପରେ ତାଙ୍କ ମର ଶରୀରକୁ ପୁରୀ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

