ତିହିଡି, ୨୯.୦୬: ବିଦ୍ୟୁତ ବିଭାଗୀୟ ଏସଡିଓଙ୍କ ହସ୍ତକ୍ଷେପରେ କାର୍ଯ୍ୟକ୍ଷମ ହେଲା ବଙ୍ଗାଳିପଡାର ବିଦ୍ୟୁତ ଟ୍ରାନ୍ସଫର୍ମର । ବିଗତ ଆଠ ଦିନ ଧରି ଟ୍ରାନ୍ସଫର୍ମର ଅଚଳ ହୋଇଥିବା ନେଇ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଥିଲେ । ଏପରିକି କେତେକ ଅଂଶୁଘାତ ଜନିତ ରୋଗର ଶିକାର ହୋଇଥିଲେ । ଗଣମାଧ୍ୟମ ଜରିଆରେ ବିଦ୍ୟୁତ ବିଭାଗର ଏସଡିଓ ଅବଗତ ହେବାର ମାତ୍ର ଦିନକ ପରେ ତାହା ପୂନଃ କାର୍ଯ୍ୟକ୍ଷମ ହୋଇଛି ଏବଂ ଗ୍ରାମବାସୀ ପ୍ରମୁଖ ଏସଡିଓଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନା ମୁତାବକ, ଭଦ୍ରକ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ୧୨ ନମ୍ବର ୱାର୍ଡ ଅଧିନ ସାଟିଉଟି ବଙ୍ଗାଳିପଡା ଗାଁରେ ଗତ ସପ୍ତାହରେ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହୋଇଥିଲା । ଏନେଇ ଗ୍ରାମବାସୀ ଲାଇନ୍ମେନ୍ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ । ୩ ଦିନ ପରେ ବିଭାଗର ଜଣେ ତଳିଆ କର୍ମଚାରୀ ଅନୁଧ୍ୟାନ କରି ଫେରିଥିଲେ ହେଁ ସାତ ଦିନ ପର୍ଯ୍ୟନ୍ତ ମରାମତି ହୋଇନଥିଲା । ତେବେ ତୁରନ୍ତ ମରାମତି ନହେଲେ ସୋମବାର ଦିନ ଉପଭୋକ୍ତାମାନେ ଏସଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିବା ଲାଗି ଚେତାବନି ଦେଇଥିଲେ । ଘଟଣାକୁ ନେଇ ବିଭାଗୀୟ ଏସଡିଓ ପ୍ରକାଶ ସାହୁ ଅବଗତ ହେବାର ତହିଁ ପରଦିନ ଅର୍ଥାତ୍ ଗତ ଶନିବାର ଅପରାହ୍ନରେ ଉକ୍ତ ଟ୍ରାନ୍ସଫର୍ମର ମରାମତି କରାଯିବା ସହିତ କାର୍ଯ୍ୟକ୍ଷମ ହୋଇଛି । ଯାହାକୁ ନେଇ ଉପଭୋକ୍ତା ଘନଶ୍ୟାମ ମାଇତି, ତପନ ମାଇତି, ରତନ ପରିଡା, ଗୋପାଳ ମାଇତି, ଭରତ ମାଇତି, ଶତୃଘନ ମାଇତି, ଅରବିନ୍ଦ ଖାଡା, ସୁନିଲ ପ୍ରଧାନ, ସୁରେଶ ପ୍ରଧାନ, ନାଲୁ ପ୍ରଧାନ, ନିତାଇ ମାଇତି ଓ ବିଜୟ ପରିଡା ପ୍ରମୁଖ ଅଂଶୁଘାତରୁ ମୁକ୍ତି ନିମନ୍ତେ ଆଶ୍ୱସ୍ଥିଲାଭ କରିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

