ଭୁବନେଶ୍ବର: ମହଙ୍ଗା ପଡିଲା ଏମ୍ସ ଡାକ୍ତରଙ୍କୁ ଆକ୍ରମଣ । ବନ୍ଧା ହେଲେ ତିନି ଅଭିଯୁକ୍ତ। ଚିକିତ୍ସା ଅବହେଳା ଅଭିଯୋଗ ଆଣି ଗତକାଲି ଜୁନିୟର ଡାକ୍ତରଙ୍କୁ ଆକ୍ରମଣ ହୋଇଥିଲା । ମେଡିସିନ ଓ୍ବାର୍ଡ ଭିତରେ ପଶି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ଡାକ୍ତରଙ୍କୁ ଟାଣି ମାଡ ମାରିଥିଲେ। ଓ୍ବାର୍ଡ ଭିତରୁ ରିପୋର୍ଟ ଓ ପ୍ରେସକ୍ରିପ୍ସନ ମଧ୍ୟ ଛଡାଇ ନେଇଥିଲେ । ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଅନ ଡ୍ୟୁଟି ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା, ରୋଗି ସେବାରେ ବ୍ୟାଘାତ ସୃଷ୍ଟି କରିବା, ସର୍ବସାଧାରଣରେ ଆତଙ୍କ ମଚାଇବା ଭଳି ସଙ୍ଗିନୀ ଦଫାରେ ୩ଜଣଙ୍କୁ ଗିରଫ କରାଯାଇଛି।
ଚିକିତ୍ସା ଅବହେଳା ଅଭିଯୋଗକୁ କେନ୍ଦ୍ର କରି ଏହି ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି । ଗତକାଲି ଡାକ୍ତରଙ୍କ ଡ୍ୟୁଟି ସମୟରେ ମେଡିସିନ୍ ୱାର୍ଡ ଭିତରେ ଏହି ଘଟଣା ଘଟିଥିଲା ।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ହଠାତ୍ ହସ୍ପିଟାଲ୍ ୱାର୍ଡ ଭିତରକୁ ପ୍ରବେଶ କରି ଜୁନିୟର ଡାକ୍ତରଙ୍କ ସହ ତୀବ୍ର ବାଦବିବାଦ କରିଥିଲେ । ଚିକିତ୍ସାରେ ଅବହେଳା ହୋଇଛି ବୋଲି ଅଭିଯୋଗ ଆଣି ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ପରିସ୍ଥିତି ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଟାଣି ନେଇ ମାଡ଼ ମାରାଯାଇଥିବା ଅଭିଯୋଗ ରହିଛି ।

