ଭୁବନେଶ୍ବର: ତେଜିଲା ଜଗନ୍ନାଥ ପ୍ରେମୀଙ୍କ ଅସନ୍ତୋଷ । ବୋଷ୍ଟନ ରଥଯାତ୍ରାର ସମୟ ବଦଳାଇବାକୁ ଇସ୍କନ ପ୍ରମୁଖଙ୍କୁ ବିଶ୍ୱ ଜଗନ୍ନାଥ ଭକ୍ତଙ୍କ ଜୋରଦାର ଅପିଲ୍ । ଆମେରିକାର ବୋଷ୍ଟନଠାରେ ଆୟୋଜିତ ରଥଯାତ୍ରାର ସମୟ ନିର୍ଘଣ୍ଟକୁ ନେଇ ଏବେ ସାରା ବିଶ୍ୱର ହିନ୍ଦୁ ଏବଂ ବୈଷ୍ଣବ ସମୁଦାୟ ମଧ୍ୟରେ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି । ଶାସ୍ତ୍ରୀୟ ପରମ୍ପରା କୁ ଅଣଦେଖା କରି ରଥଯାତ୍ରା ଆୟୋଜନ କରିବାକୁ ନେଇ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ଓ ଗବେଷକମାନେ ତୀବ୍ର ଆପତ୍ତି ଉଠାଇଛନ୍ତି । ଇସ୍କନ ବୋଷ୍ଟନର ସଭାପତି ବନମାଳୀ ପଣ୍ଡିତ ଦାସଙ୍କୁ ଏକ ଆନୁଷ୍ଠାନିକ ଚିଠି ଲେଖି ଏହି ରଥଯାତ୍ରାର ତାରିଖ ବଦଳାଇବା ପାଇଁ ସାରା ବିଶ୍ୱର ଭକ୍ତମାନେ ଏକ ଜରୁରୀକାଳୀନ ନିବେଦନ କରିଛନ୍ତି । ଏହି ସମଗ୍ର ବିବାଦର ମୂଳ କାରଣ ହେଉଛି- ଚଳିତ ବର୍ଷ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଜୁନ୍ ୨୯ ତାରିଖରେ ପଡୁଛି। କିନ୍ତୁ ବୋଷ୍ଟନ ଇସ୍କନ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଆଜି ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି । ଯାହା ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ଓଲଟା ।
ଶ୍ରୀକ୍ଷେତ୍ର ପୁରୀ ପରମ୍ପରା ଏବଂ ଜଗନ୍ନାଥ ପଞ୍ଜିକା ଅନୁସାରେ, ମହାପ୍ରଭୁଙ୍କ ବାର୍ଷିକ ଲୀଳାଖେଳା ଏକ ନିର୍ଦ୍ଦିଷ୍ଟ ଆଧ୍ୟାତ୍ମିକ କ୍ରମରେ ଚାଲିଥାଏ। ଚଳିତ ବର୍ଷ ପୁରୀ ସମେତ ସାରା ବିଶ୍ୱରେ ଜୁଲାଇ ୧୬ ତାରିଖରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାର ଅଛି । କିନ୍ତୁ ଆଜି ରଥଯାତ୍ରା କରି ଇସ୍କନ ବୋଷ୍ଟନ ଶତାବ୍ଦୀର ଦେବ ନୀତିକୁ ସମ୍ପୂର୍ଣ୍ଣ ଭାବେ ଓଲଟାଇ ଦେଇଛି । ଭକ୍ତମାନେ ପଠାଇଥିବା ପିଟିସନରେ ଲେଖାଯାଇଛି ଯେ, “ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର ଏବଂ ନେତ୍ରୋତ୍ସବ ପୂର୍ବରୁ ରଥଯାତ୍ରା ଆୟୋଜନ କରିବା ଦ୍ୱାରା ଦେବନୀତିର ପବିତ୍ର କ୍ରମ ଭଙ୍ଗ ହେଉଛି । ଏହି ବିପରୀତ ପ୍ରକ୍ରିୟା ସ୍କନ୍ଦ ପୁରାଣରେ ବର୍ଣ୍ଣିତ ମହାପ୍ରଭୁଙ୍କ ନିର୍ଦ୍ଦେଶ, ଶାସ୍ତ୍ରୀୟ ପରମ୍ପରା ଏବଂ ସନାତନ ଧର୍ମର ନିୟମ ବିରୁଦ୍ଧ ଅଟେ। ସନାତନ ଧର୍ମର ପଣ୍ଡିତ ଓ ଗବେଷକମାନେ ଯୁକ୍ତି ବାଢ଼ିଛନ୍ତି ଯେ, ବିଶ୍ୱର କୌଣସି ବି ଧର୍ମରେ ଭଗବାନଙ୍କ ଜନ୍ମ ବା ଆବିର୍ଭାବ ପୂର୍ବରୁ ତାଙ୍କର ପରବର୍ତ୍ତୀ ଲୀଳାର ଉତ୍ସବ ପାଳନ କରାଯାଏ ନାହିଁ । ଜଗନ୍ନାଥ ସଂସ୍କୃତିରେ ସ୍ନାନଯାତ୍ରା ପୂର୍ବରୁ ରଥଯାତ୍ରା କରିବା ଅର୍ଥ ହେଉଛି କାହାର ଜନ୍ମ ପୂର୍ବରୁ ତାର ବିଜୟ ଶୋଭାଯାତ୍ରା ବାହାର କରିବା ।

