ତିହିଡି଼, ୦୨.୦୬ : ନଈକୂଳରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଗିରଫ୍ କରିଛି ଭଦ୍ରକ ଜିଲ୍ଲା ତିହିଡି ପୋଲିସ । ଏହି ଥାନାଧିନ ବୋଡ଼କ ପଞ୍ଚାୟତ ରେବ ନଈ କୂଳରୁ ଗତ ଶୁକ୍ରବାର ସକାଳେ କବିତା ବେହେରା ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ସ୍ତ୍ରୀର ଚରିତ୍ରକୁ ନେଇ ସ୍ୱାମୀ ସନ୍ଦେହ କରୁଥିଲେ । ଏହାକୁ ନେଇ ଅଧିକାଂଶ ବେଳେ ଦମ୍ପତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ପତ୍ନୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ସ୍ୱାମୀ ପ୍ରଫୁଲ୍ଲ । ଗତ ମାସ ୨୮ତାରିଖ ରାତିରେ ସ୍ୱାମୀ ଏଥିରେ ସଫଳ ହେବାପରେ ସ୍ତ୍ରୀର ମୃତ ଦେହକୁ ନିଜ ଭାଇ ସହାୟତାରେ ଏକ ବାଇକ୍ରେ ନେଇ ତିହିଡି଼ ଥାନା ବୋଡ଼କ ପଞ୍ଚାୟତର ରେବ ନଈ କୂଳରେ ଫିଙ୍ଗି ଦେଇଥିଲେ । ତେବେ ଆଇଆଇସି ଲୋପାମୁଦ୍ରା ନାୟକ ସୋମବାର ମଧ୍ୟାହ୍ନରେ ଅଭିଯୁକ୍ତ ସ୍ୱାମୀ ପ୍ରଫୁଲ୍ଲ ବେହେରାଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିବା ପରେ ଅପରାହ୍ନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି । ସୂଚନା ମୁତାବକ, ଗତ ୨୯ତାରିଖ ସକାଳେ ତିହିଡି଼ ଥାନା ଅଧୀନ ବୋଡ଼କ ପଞ୍ଚାୟତର ରେବ ନଈକୂଳରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଥିବା ଆଇଆଇସି ନାୟକ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚଥିଲେ । ତଦନ୍ତ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣା ଯାଇଥିଲା । ପରେ ବୋଡ଼କ ସରପଞ୍ଚସୁଭାଷିନୀ ଜେନାଙ୍କ ଅଭିଯୋଗ କ୍ରମେ ଏକ ମାମଲା(ନଂ ୨୧୭/୨୬)ରୁଜୁ କରି ପୋଲିସ ମୃତା ମହିଳାଙ୍କ ପରିଚୟ ପାଇବାକୁ ଉଦ୍ୟମ କରିଥିଲା । ସେହିଦିନ ରାତିରେ ପୋଲିସକୁ ଖବର ମିଳିଥିଲା ଯେ ମୃତା ମହିଳାଙ୍କ ନାଁ କବିତା ବେହେରା (୩୫) ଏବଂ ସେ ଧୂଷୁରୀ ଥାନା କଟସାହି ପଞ୍ଚାୟତ ଅଧୀନ ପଥରଡିହ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ପତ୍ନୀ । ମହିଳାଙ୍କ ପରିଚୟ ମିଳିବା ପରେ ଆଇଆଇସି ନାୟକ ପଥରଡିହ ଗ୍ରାମକୁ ଯାଇ ଏହାର ତଦନ୍ତ ଚଳାଇଥିଲେ । ତେବେ ହତ୍ୟା ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ପ୍ରଫୁଲ୍ଲଙ୍କ ୨ ନାବାଳିକା ଝିଅକୁ ଘରେ ଛାଡ଼ି ଗିରଫ ଭୟରେ ଫେରାର ହୋଇଯାଇଥିଲେ । ଆଇଆଇସି ନାୟକ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଯେ ପ୍ରଫୁଲ୍ଲ ୧୭/୧୮ ବର୍ଷ ପୂର୍ବେ ହାଇଦ୍ରାବାଦରେ କାମ କରୁଥିଲେ ଏବଂ ସେଠାରେ କାମ କରୁଥିବା ବିହାର ରାଜ୍ୟର କବିତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ପ୍ରଫୁଲ୍ଲ ତାଙ୍କୁ ବିବାହ କରି ନିଜ ଗ୍ରାମ ପଥରଡିହକୁ ନେଇ ଆସିଥିଲେ । ବୈବାହିକ ଜୀବନ ବିତାଇବା ମଧ୍ୟରେ ତାଙ୍କର ୨ଟି କନ୍ୟା ଜନ୍ମ ହୋଇଥିଲେ । ତେବେ ପତ୍ନୀଙ୍କ ଚାରିତ୍ରିକ ତ୍ରୁଟି ନେଇ ଅଧିକାଂଶ ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଉପୁଜି ଆସୁଥିଲା । ଏପରିକି ଗତ ୨୭ତାରିଖରେ କବିତା ତାଙ୍କ ସ୍ୱାମୀଙ୍କ ସହ ଆଉ ରହିବାକୁ ଚାହୁଁ ନାହାନ୍ତି ବୋଲି ଧୂଷୁରୀ ଥାନାରେ ଲିଖିତ ଭାବେ ଜଣାଇଥିଲେ । ଏହିସବୁ କାରଣକୁ ନେଇ ପ୍ରଫୁଲ୍ଲ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ । ଗୁରୁବାର ବିଳମ୍ବିତ ରାତିରେ କବିତା ଶୋଇଥିବା ଅବସ୍ଥାରେ ତାଙ୍କ ମୁଣ୍ଡକୁ ଏକ ହେମଦସ୍ତା ବାଡ଼ି ସହାୟତାରେ ବାରମ୍ବାର ଆଘାତ କରିଥିଲେ । କବିତା ଚିତ୍କାର କରି ଘର ବାହାରକୁ ଆସି ତଳେ ପଡିଯିବାରୁ ସ୍ୱାମୀ ପ୍ରଫୁଲ୍ଲ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ମୃତଦେହକୁ ଏକ ପଲିଥିନ୍ରେ ଗୁଡ଼ାଇ ନିଜ ମଝିଆଁ ଭାଇ ରଙ୍ଗାଧର ସହ ବାଇକ ଯୋଗେ ନଈକୂଳରେ ଫିଙ୍ଗି ଦେଇଥିବା ପୋଲିସ ସାମ୍ନାରେ ସ୍ୱୀକାର କରିଥିଲା । ସିନ ରିକ୍ରିଏସନ ସମୟରେ ପ୍ରଫୁଲ୍ଲ ମଧ୍ୟ ପଥରଡିହ ଗ୍ରାମ ଓ ରେବ ନଈ କୂଳକୁ ଯାଇ ରିକ୍ରିଏସନ କରି ଦେଖାଇଥିଲେ । ସିନ ରିକ୍ରିଏସନ ସମୟରେ ଚାନ୍ଦବାଲି ଏସଡିପିଓ ପ୍ରଭାସ ଚନ୍ଦ୍ର ସାହୁ, ତିହିଡି଼ ଥାନା ଆଇଆଇସି ନାୟକ, ଧୂଷୁରୀ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ, ତିହିଡି଼ ଥାନା ଏସଆଇ ରୋଜନ କୁମାର ମୁର୍ମୁ ଓ ଏଏସଆଇ ଲଷ୍ମଣ କୁମାର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗିରଫ ଅଭିଯୁକ୍ତ ପ୍ରଫୁଲ୍ଲକୁ କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଭାଇ ରଙ୍ଗାଧର ଫେରାର ଥିବାବେଳେ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ, ହେମଦସ୍ତା ବାଡ଼ି ଓ ୨ଟି ମୋବାଇଲ ଜବତ କରାଯାଇଥିବା ଏଏସପି ଶ୍ରୀ ବେହେରା ସୂଚନା ଦେଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

