ନୂଆଦିଲ୍ଲୀ: ଇରାନର ଚେତାବନୀ । “ଧମକ ଚଳିବ ନାହିଁ, ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ” । ଇରାନର ବଡ଼ ବୟାନ, “ଆମ ପାଖରେ ନୂଆ ଅସ୍ତ୍ର ଅଛି!” । ଆମେରିକାକୁ ଚ୍ୟାଲେଞ୍ଜ ଦେଇ କହିଛି “ଆମେ ଆତ୍ମସମର୍ପଣ କରିବୁ ନାହିଁ ।” ଦୁନିଆ ଉପରେ ବିପଦ, କାଲି ସରୁଛି ସମୟ ସୀମା, ପୁଣି କ’ଣ ଯୁଦ୍ଧ ହେବ? । ଧମକ ମଧ୍ୟରେ କୌଣସି ଆଲୋଚନା ସମ୍ଭବ ନୁହେଁ । ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଦୁଇ ସପ୍ତାହର ଅସ୍ଥାୟୀ ଶାନ୍ତି ଚୁକ୍ତି ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ଇରାନ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକେର ଗଲିବାଫ୍ କହିଛନ୍ତି ଯେ, ଆମେରିକାର ଚାପ ଆଗରେ ଇରାନ ମୁଣ୍ଡ ନୁଆଇଁବ ନାହିଁ । ଯଦି ପରିସ୍ଥିତି ବିଗିଡ଼େ, ତେବେ ଯୁଦ୍ଧ ମଇଦାନରେ ଦେଖାଇବା ପାଇଁ ଇରାନ ପାଖରେ “ନୂଆ ଚାଲ୍” ବା ଶକ୍ତିଶାଳୀ ରଣନୀତି ପ୍ରସ୍ତୁତ ଅଛି । ଗଲିବାଫ୍ କହିଛନ୍ତି, ଆମେରିକା ଆଲୋଚନା ପାଇଁ ନୁହେଁ ବରଂ ଇରାନକୁ “ଆତ୍ମସମର୍ପଣ” କରାଇବାକୁ ଚାହୁଁଛି । ଇରାନ କୌଣସି ଧମକ ଭୟରେ ଆଲୋଚନା କରିବ ନାହିଁ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି କୌଣସି ସ୍ଥାୟୀ ଚୁକ୍ତି ନହୁଏ, ତେବେ ଶାନ୍ତି ଚୁକ୍ତିର ସମୟ ସୀମା ବଢ଼ାଯିବ ନାହିଁ । ଏମିତିକି ଇରାନ ଉପରେ ବୋମା ମାଡ଼ ଓ ଆକ୍ରମଣର ଚେତାବନୀ ମଧ୍ୟ ଦିଆଯାଇଛି । ଆମେରିକା ଇରାନର ବନ୍ଦରଗୁଡ଼ିକୁ ଘେରାବନ୍ଦୀ କରି ରଖିଛି, ଯାହାକୁ ଇରାନ “ଜଳଦସ୍ୟୁତା” ବୋଲି କହିଛି । ଏହାର ଜବାବରେ ଇରାନ ମଧ୍ୟ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ପଥ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦେଇ ଯାତାୟାତ ଉପରେ କଟକଣା ଲଗାଇଛି । ଆସନ୍ତାକାଲି ଶେଷ ସମୟ ସୀମା ଥିବାରୁ ଏହାରି ଉପରେ ସାରା ବିଶ୍ୱର ନଜର ରହିଛି । ପାକିସ୍ତାନ ଏହି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛି । ଯଦି କୌଣସି ନିଷ୍କର୍ସ ନବାହାରେ, ପୁଣି ଥରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇପାରେ । ବିଶ୍ୱ ବଜାରରେ କଞ୍ଚା ତେଲ ଦର ଆକାଶଛୁଆଁ ହୋଇପାରେ। ଇରାନ ନିଜର ମିସାଇଲ୍ ଓ ଡ୍ରୋନ୍ ବାହିନୀ ସାହାଯ୍ୟରେ ଆକ୍ରମଣ କରିପାରେ ।

