କଷାଫଳ ଓ ପରଖି ଠାରେ ନୂତନ ୩୩/୧୧ କେଭି ପାୱାର ଷ୍ଟେସନ ସ୍ଥାପନ ଖୁବ ଶ୍ରୀଘ୍ର, ବିଦ୍ୟୁତ ସରବରାହ ଜନିତ ସମସ୍ୟା ଦୁରୀକରଣ ନେଇ ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନ
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର କଷାଫଳ ଓ ପରିଖି ଠାରେ ନୂତନ ୩୩/୧୧କେଭି ପାୱାର ଷ୍ଟେସନ ସ୍ଥାନ ବିଳମ୍ବିତ ହେବାର କାରଣ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ଦୁଇଟି ପିଏସଏସ ସ୍ଥାପନ ପାଇଁ ଶକ୍ତି ବିଭାଗକୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଟିପିଏନଓଡିଏଲ ପକ୍ଷରୁ ସମ୍ପୃକ୍ତ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହୋଇ ସାରିଥିଲେ ବି ଏହା ବିଳମ୍ବିତ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଏହି ଦୁଇ ପ୍ରକଳ୍ପର ସ୍ଥିତାବସ୍ଥା ସହ କେବେ କାର୍ଯ୍ୟକାରୀ ହେବ ସେ ବିଷୟରେ ତଥ୍ୟ ପ୍ରଦାନ ନିମନ୍ତେ ବିଧାୟକ ଶ୍ରୀ ଦତ୍ତ ନିବେଦନ କରିଥିଲେ । ଏହା ସହିତ ବାଲେଶ୍ୱର ଜିଲ୍ଲାରେ ସୁଦୀର୍ଘ ବେଳାଭୂମି ଉତ୍ତମ ବାୟୁ ଓ ଉତାପ ପ୍ରବଣ ସ୍ଥାନ ହୋଇଥିବାରୁ ଉପକୂଳ ଅଂଚଳରେ ୱିଣ୍ଡ ମିଲ୍ ଓ ସୋଲାର ପ୍ଲାଂଟ ସ୍ଥାପନ ସହ ବିଦ୍ୟୁତ୍ ଉତ୍ପାଦନ ପାଇଁ ସରକାରଙ୍କ ନିକଟରେ ଥିବା ଯୋଜନା ସମ୍ପର୍କରେ ବିବରଣୀ ଦେବାକୁ ସେ ଅନୁରୋଧ କରିଥିଲେ । ରାଜ୍ୟର ଅନ୍ୟ ଉପକୂଳ ଅଂଚଳରେ ୱିଣ୍ଡ ମିଲ୍ ଓ ସୋଲାର ପ୍ଲାଂଟ ସ୍ଥାପନ ସମ୍ଭବ ହେଉଥିବା ବେଳେ ଶକ୍ତି ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରତି ଆନ୍ତରିକତା ଅଭାବର କାରଣ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଥିଲେ ।
ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, କଷାଫଳ ପଂଚାୟତର ଲୋ-ଭୋଲଟେଜ ସମସ୍ୟା ସହ ବିଦ୍ୟୁତ ସରବରାହ ଜନିତ ବାଧା ଦୁରୀକରଣ ପାଇଁ ଲଙ୍ଗଳେଶ୍ୱର ୩୩/୧୧ କେଭି ସବ୍-ଷ୍ଟେସନରୁ ନୂତନ ୧୧କେଭି ଫିଡର ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଛି । ଏହି ପ୍ରକଳ୍ପକୁ ୨୦୨୫-୨୬ ଆର୍ôଥକ ବର୍ଷ କ୍ୟାପେକ୍ସରେ ସାମିଲ କରାଯିବା ନେଇ ଯୋଜନା ରହିଛି । ଏହା ସହିତ ଅଟୋମେଟିକ ଭୋଲଟେଜ୍ ରେଗୁଲେଟର ଲଗାଯିବାର ସର୍ଭେ କାର୍ଯ୍ୟ ଓ ସ୍ଥାନ ନିରୂପଣ ହୋଇସାରିଛି । କଷାଫଳ ଠାରେ ନୂତନ ୩୩/୧୧କେଭି ପାୱାର ଷ୍ଟେସନ ସ୍ଥାପନା ପାଇଁ ବୈଷୟିକ ସର୍ବେକ୍ଷଣ କାର୍ଯ୍ୟ ଜାରି ରହିଛି । ଦୁଇ ପ୍ରକଳ୍ପକୁ ୨୦୨୫-୨୬ ଆର୍ôଥକ ବର୍ଷରେ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି । ସେହିପରି ପରିଖି ଅଂଚଳରେ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଉନ୍ନତି ପାଇଁ ହଳଦୀପଦାର ୧୧କେଭି ଫିଡରକୁ ଦୁଇ ଭାଗରେ ବିଭକ୍ତ ସହ ରୁପସା ପିଏସଏସରୁ ଲାଇନ ଚାର୍ଜ ହୋଇସାରିଛି । ଏହା ସହିତ ଛାନୁଆ ପିଏସଏସରୁ ୫କିଲୋମିଟର ନୂଆ ୧୧କେଭି ଲାଇନ ବିଛାଯିବା କାର୍ଯ୍ୟ ୨୦୨୫-୨୬ ଆର୍ôଥକ ବର୍ଷ କ୍ୟାପେକ୍ସ ଯୋଜନାରେ ସାମିଲ କରାଯିବ । ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ ଜାରି ରହିଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଏବଂ ଭୋଗରାଇରେ ପବନ ସମ୍ପଦ ମୂଲ୍ୟାଙ୍କନ ମାଷ୍ଟ (ୱିଣ୍ଡ ରିସୋର୍ସ ଆସଏସମେଂଟ ମାଷ୍ଟ) ବସାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟରେ ସୌରଶକ୍ତି, ପବନ ଶକ୍ତି, କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ତଥା ଅନ୍ୟାନ୍ୟ ଅକ୍ଷୟ ଶକ୍ତି ଉତ୍ସରୁ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ଅକ୍ଷୟ ଶକ୍ତି ନୀତି -୨୦୨୨ କାର୍ଯ୍ୟକାରୀ ରହିଛି । ଏହି ନୀତି ଅନୁଯାୟୀ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ରାଜ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଅନେକ ରିହାତି ତଥା ପ୍ରୋତ୍ସାହନ ବ୍ୟବସ୍ଥା ରହିଛି । ତେବେ ବାଲେଶ୍ୱର ଜିଲ୍ଲାରେ ସୋଲାର ପ୍ଲାଂଟ ବସାଇବା ନିମନ୍ତେ ସରକାରଙ୍କ ଏଯାବତ କୌଣସି ପ୍ରସ୍ତାବ ନଥିଲେ ବି ସରକାରଙ୍କ ରିହାତି ଓ ପ୍ରୋତ୍ସାହନ ନୀତିର ସୁଯୋଗ ନେଇ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାମାନେ ନୂତନ ୱିଣ୍ଡ ମିଲ୍ ଓ ସୋଲାର ପ୍ଲାଂଟ ସ୍ଥାପନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି ।