ସମଗ୍ର ରାଜ୍ୟର ସହରାଞ୍ଚଳରେ ସାମଗ୍ରିକ ବିକାଶ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମଏସବିୱାୟ) । ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ୪୭ଟି ପୌରସଂସ୍ଥାରେ ୮୬୨ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଭୁବନେଶ୍ୱର ଠାରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପ୍ରକଳ୍ପଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିଥିବା ବେଳେ ବାଲେଶ୍ଵର ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇଥିଲେ। ଏହି ଯୋଜନାରେ ବାଲେଶ୍ଵର ପୌରପାଳିକା ଅଞ୍ଚଳର ଉନ୍ନତି ପାଇଁ ୧୫କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ଶୁଭ ଦିଆଯାଇଥିଲା। ଏଥି ମଧ୍ୟରେ ୪କୋଟି ୩୬ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସହରର ଭିତ୍ତିଭୂମି ବିକାଶ, ଏକ କୋଟି ୧୬ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସହରୀ ନିଯୁକ୍ତି, ୪୩ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ପାନୀୟ ଜଳ ପରିଚାଳନା ପରିଷଦର ବିକାଶ, ୪୩ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ପଶୁ ସମ୍ପଦ ବିକାଶ, ୫କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଗୋଶାଳା ନିର୍ମାଣ, ୨କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ମାର୍କେଟ ବିଲଡିଂ ନିର୍ମାଣ, ୫୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଇଲେକ୍ଟ୍ରିକ ଭେହିକିଲ୍ ଚାର୍ଜିଂ ଷ୍ଟେସନ ସ୍ଥାପନ, ୪୯ଲକ୍ଷ ୭୯ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ସହର ରାସ୍ତାରେ ସୃଷ୍ଚି ହୋଇଥିବା ଗର୍ତ୍ତ ପୂରଣ ପ୍ରଭୃତି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସମସ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅନୁଦାନ ମଞ୍ଜୁର କରି ସାରିଥିବା ମନ୍ତ୍ରୀ ଡାକ୍ତର ମହାପାତ୍ର ଏହି କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ। ବାଲେଶ୍ଵର ସହରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଏହି ଯୋଜନା ଅନ୍ତର୍ଗତ ଅନୁଦାନର ସୁବିନିଯୋଗ ପାଇଁ ସାଂସଦ ଶ୍ରୀ ଷଡ଼ଙ୍ଗୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ ଭାବେ ଜଳ ନିଷ୍କାସନ ସମସ୍ୟା ନିବାରଣ ଦିଗରେ ତ୍ୱରିତ ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ମାଧ୍ୟମରେ ବାଲେଶ୍ୱର ସହରର ବିକାଶ କାର୍ଯ୍ଯ ଆହୁରି ଅଧିକ ତ୍ୱରାନ୍ୱିତ ହେବ ବୋଲି ସଦର ବିଧାୟକ ଶ୍ରୀ ଦତ୍ତ କହିଛନ୍ତି। ଏଥି ନିମନ୍ତେ ରାଜ୍ୟର ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର ମହାପାତ୍ରଙ୍କୁ ବିଧାୟକ ଶ୍ରୀ ଦତ୍ତ କୃତଜ୍ଞତା ଜଣାଇଛନ୍ତି। କାର୍ଯ୍ୟକ୍ରମରେ ବାଲେଶ୍ଵର ପୌରପାଳିକାର କାର୍ଯ୍ଯନିର୍ବାହୀ ଅଧିକାରିଣୀ ନିର୍ଲିପ୍ତା ମହାନ୍ତି, ପୌର ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ନାୟକ ପ୍ରମୁଖଙ୍କ ସମେତ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ।

