ଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତୀୟ ରୋଷେଇଶାଳ ଉପରେ ଶକ୍ତ ଚାପୁଡ଼ା ମାରିଛି। ଆଜି ଠାରୁ ଏଲପିଜି ଦର ବୃଦ୍ଧି ପାଇଛି। ଏହା ଦ୍ବାରା ଦେଶର କୋଟିକୋଟି ଲୋକ ଆର୍ଥିକ ପ୍ରଭାବିତ ହୋଇଛନ୍ତି। ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଶନିବାର ବୃଦ୍ଧି ପାଇଛି। ସାରା ଦେଶରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ଆଜି ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ସିଧାସଳଖ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ପ୍ରଭାବ ପକାଇବ।ସୂତ୍ର ଅନୁସାରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ୯୧୩କୁ ବୃଦ୍ଧି ପାଇଛି। ମୁମ୍ବାଇରେ, ଘରୋଇ ସିଲିଣ୍ଡରର ନୂତନ ଦର ବର୍ତ୍ତମାନ ୯୧୨ ଟଙ୍କା ୫୦ ପଇସା ହୋଇଛି, ଯାହା ପୂର୍ବରୁ ୮୫୨ ଟଙ୍କା ୫୦ ପଇସା ଥିଲା। ଚେନ୍ନାଇରେ ଏହା ₹୮୬୮.୫୦ରୁ ୯୨୮.୫୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ସଂଶୋଧିତ ଦର ଆଜିଠାରୁ କାର୍ଯ୍ୟକାରୀ ହେଉଛି।ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶରେ ଏଲ୍ପିଜି ଅଭାବ ଚିନ୍ତା ଘାରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରିକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି। ତେଣୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରି। ଏହାକୁ ଦୃଷ୍ଟିରେ ରଖି ଏଲ୍ପିଜି ଉତ୍ପାଦନ ପାଇଁ ପ୍ରୋପେନ୍ ଓ ବ୍ୟୁଟେନ୍ ଗ୍ୟାସ୍ ବ୍ୟବହାର କରିବାକୁ ତୈଳ ବିଶୋଧନ କମ୍ପାନିଗୁଡ଼ିକୁ କୁହାଯାଇଛି। ଅନ୍ୟ କୌଣସି ପେଟ୍ରୋ ରସାୟନ ସାମଗ୍ରୀ ଉତ୍ପାଦନରେ ଏହି ଦୁଇ ଗ୍ୟାସ୍ ବ୍ୟବହାର କରିବାକୁ ବାରଣ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ତୈଳ ବିଶୋଧନକାରୀ କମ୍ପାନିଗୁଡ଼ିକ ପ୍ରୋପେନ୍ ଓ ବ୍ୟୁଟେନ୍ ଗ୍ୟାସ୍ର ସର୍ବାଧିକ ଉତ୍ପାଦନ କରିବେ ଓ ସେହି ଗ୍ୟାସ୍କୁ କେବଳ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ଯୋଗାଇବେ। ଆମଦାନି ହୋଇଥିବା ସବୁ ଏଲ୍ପିଜି ଯେଭଳି ରୋଷେଇ ଉଦ୍ଦେଶ୍ୟରେ ବ୍ୟବହାର ହେବ ତାହା ନିଶ୍ଚିତ କରିବାକୁ ତୈଳ କମ୍ପାନିଗୁଡ଼ିକୁ କୁହାଯାଇଛି। ଏହି ଆଦେଶର ଉଲ୍ଲଂଘନ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଓ ପେଟ୍ରୋଲିୟମ୍ ଉତ୍ପାଦ (ଉତ୍ପାଦନ, ସଂରକ୍ଷଣ ଓ ଯୋଗାଣର ରକ୍ଷଣାବେକ୍ଷଣ) ଆଦେଶ, ୧୯୯୯ ଓ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

