ନୂଆଦିଲ୍ଲୀ : ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ । ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍ରାଏଲ ସଂସଦକୁ ଉଦବୋଧନ କରିବେ ମୋଦି । ପ୍ରଥମ ଭାରତୀୟ ଭାବେ ଇସ୍ରାଏଲ ପାର୍ଲାମେଣ୍ଟକୁ ସମ୍ବୋଧନ କରିବେ । ମୋଦିଙ୍କ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହେବା ଆଶା ରହିଛି । ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି ଗସ୍ତ କରିଛନ୍ତି । ୨୦୧୭ ପରେ ଏହା ମୋଦିଙ୍କ ଦ୍ୱିତୀୟ ଇସ୍ରାଏଲ ଗସ୍ତ । ଯାହା ଦୁଇ ଦେଶର ବନ୍ଧୁତାକୁ ଏକ ନୂଆ ଶିଖରକୁ ନେବ । ଗସ୍ତ କାଳରେ ମୁଖ୍ୟତଃ ପାଞ୍ଚଟି ପ୍ରସଙ୍ଗ ସ୍ଥାନ ପାଇବ । ଦ୍ୱିପାକ୍ଷିକ ଆଲୋଚନା ଓ ପ୍ରତିରକ୍ଷା ଚୁକ୍ତି ସାମିଲ ହେବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, କୃଷି ଏବଂ ଜଳ ପରିଚାଳନା କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ ।
ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲର ସଂସଦ ନେସେଟକୁ ସମ୍ବୋଧିତ କରିବେ । ଏହି ସମ୍ମାନ ପାଇବାରେ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏହା ଭାରତ ଓ ଇସ୍ରାଏଲ ମଧ୍ୟରେ ଥିବା ଗଭୀର ଗଣତାନ୍ତ୍ରିକ ସମ୍ପର୍କକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ବ୍ୟକ୍ତିଗତ ବୈଠକ ଓ ରାତ୍ରି ଭୋଜନ ବ୍ୟତୀତ ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗଙ୍କୁ ମଧ୍ୟ ଭେଟିବେ ମୋଦି । ଗସ୍ତ କାଳରେ ହାଇ-ଟେକ୍ ଶିଳ୍ପ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂ ଭଳି ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପରେ ସ୍ୱତନ୍ତ୍ର ଆଲୋଚନା ହେବ । ଏହା ଦ୍ୱାରା ଦୁଇ ଦେଶର ଅର୍ଥନୀତି ସମୃଦ୍ଧ ହେବ । ପ୍ରଧାନମନ୍ତ୍ରୀ ମୋଦି ଇହୁଦୀଙ୍କ ସ୍ମୃତିସ୍ଥଳ ୟାଦ୍ ଭାସେମ ପରିଦର୍ଶନ କରି ଦ୍ୱିତୀୟ ବିଶ୍ୱଯୁଦ୍ଧର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏଥିସହିତ ସେଠାରେ ରହୁଥିବା ଭାରତୀୟ-ଇହୁଦୀ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିପାରନ୍ତି ମୋଦି । ଏହି ଗସ୍ତ ଭାରତ ଓ ଇସ୍ରାଏଲ ମଧ୍ୟରେ କେବଳ ବାଣିଜ୍ୟ ନୁହେଁ, ବରଂ କୂଟନୈତିକ ଏବଂ ସୁରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।

