ରାଜସ୍ଥାନ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା । ରାଜସ୍ଥାନର ନାଗୌର ଜିଲ୍ଲାରେ ପୋଲିସ ପ୍ରାୟ ୧୦,୦୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଏବଂ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ନାଗୌର ଜିଲ୍ଲାର ଥାନୱାଲା ପୋଲିସ ଷ୍ଟେସନ ଅନ୍ତର୍ଗତ ହର୍ସୋର ଗ୍ରାମର ଏକ ଫାର୍ମହାଉସ୍ ରେ ଚଢ଼ାଉ କରାଯାଇଥିଲା । ୧୮୭ଟି ବସ୍ତାରେ ରଖାଯାଇଥିବା ୯ ହଜାର ୫୫୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଜବତ ହୋଇଛି । ୯ଟି କାର୍ଟୁନ୍ ରେ ଡେଟୋନେଟର ଥିଲା । ପ୍ରାୟ ୨୭ ବଣ୍ଡଲ୍ ଏବଂ ଅନେକ କାର୍ଟୁନ୍ ନୀଳ ଓ ନାଲି ରଙ୍ଗର ଫ୍ୟୁଜ୍ ତାର ମଧ୍ୟ ଜବତ ହୋଇଛି ।
ଏହି ମାମଲାରେ ୫୮ ବର୍ଷୀୟ ସୁଲେମାନ ଖାନଙ୍କୁ ଗିରଫ କରାଯାଇଛି । ତା ନାଁରେ ପୂର୍ବରୁ ମଧ୍ୟ ବିସ୍ଫୋରକ ଆଇନ ଅନୁଯାୟୀ ତିନୋଟି ଅପରାଧିକ ମାମଲା ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଏହି ବିସ୍ଫୋରକଗୁଡ଼ିକ ବେଆଇନ ଖଣି ଖନନ କାର୍ଯ୍ୟ ପାଇଁ ଯୋଗାଇ ଦିଆଯାଉଥିଲା । ତେବେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏତେ ପରିମାଣର ବିସ୍ଫୋରକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏତେ ବିସ୍ଫୋରକର ଉତ୍ସ ଏବଂ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଅଛି କି ନାହିଁ, ସେଥିପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମଧ୍ୟ ଏହି ଘଟଣାର ତଦନ୍ତ କରିପାରନ୍ତି । ନିକଟରେ ନଭେମ୍ବର ୨୦୨୫ରେ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟ୍ ବ୍ୟବହାର କରାଯାଇଥିବାରୁ, ପୋଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛି ।

