ତିହିଡି, ୨୫.୦୧: ଓଡିଶାର ଅଦ୍ୱିତୀୟ ସୂର୍ଯ୍ୟ ଉପାସନ କ୍ଷେତ୍ରଭାବେ ପରିଚିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ପ୍ରାଚୀନ ଅର୍କକ୍ଷେତ୍ର ପୌରାଣିକ ତଥା ଐତିହାସିକ କିମ୍ବଦନ୍ତୀର ବାର୍ତ୍ତା ବହନ କରୁଥିବା ପାଳିଆସ୍ଥିତ ପ୍ରସିଦ୍ଧ ବିରଞ୍ôଚନାରାୟଣ ପୀଠରେ ଷଷ୍ଠି ତିଥି ଶନିବାର ସଂଧ୍ୟାରେ ଚୂଳଚଢା ପର୍ବ ପାଳିତ ହୋଇ ଯାଇଛି । ପ୍ରଭୁଙ୍କ ବଡସିଂହାର ବେଶ କରାଯିବା ପରେ ମନୋହର ଭୋଗ ଲାଗିଛି । ପୂରାଣମତେ ବର୍ଷରେ କେବଳ ଏହି ତିଥିରେ ମନ୍ଦିରର ଉତ୍ତର ଦ୍ୱାର ଖୋଲା ଯାଇଥାଏ । କୁଷ୍ଠରୋଗୀମାନେ ମାନସିକ ଉପଚାର ପାଇଁ ଏହି ଦ୍ୱାରରେ ଅଧିଆ ପଡିଥାନ୍ତି ଏବଂ ଆଜିର ଦିନରେ ଦର୍ଶନ କରି ରୋଗମୁକ୍ତ ହୋଇଥାନ୍ତି । କିମ୍ବଦନ୍ତ୍ରୀ କହେ, ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଶାପ ଦଶା ମୁକ୍ତ ପାଇଁ ଏଠାରେ ସୂର୍ଯ୍ୟ ଉପାସନ କରିଥିଲେ ଏବଂ ଆଜିର ଦିନରେ ଏଠାରୁ ବିଦାୟ ନେଇଥିଲେ । ଯାହା ବିରଞ୍ôଚନାରାୟଣଙ୍କ ଏହି ଚୂଳଚଢା ଦର୍ଶନ କଲେ ସମସ୍ତ ଚର୍ମ ରୋଗରୁ ମୁକ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତୁଳସୀ ପତ୍ର ଓ ଫୁଲରେ ତିଆରି ଫୁଲଛତା ଅର୍ପଣ କରା ଯାଇଥାଏ । ଏଥିସହ ଅରୁଆ ଚାଉଳରେ ତିଆରି ଚୂନା, ଗୁଆ ଘିଅ, ଗୁଡ, ନଡିଆକୋରା ଓ ବିଭିନ୍ନ ପ୍ରକାରର ବାସ ମସଲାରେ ତିଆରି ହୋଇଥିବା ପ୍ରଭୁଙ୍କର ମୁଖ୍ୟ ମନୋହରି ଭୋଗ ଲାଗିଥାଏ । ପ୍ରାଚୀନ କାଳରୁ ଏହି ଅର୍କକ୍ଷେତ୍ରରେ ସୌର ଚାଳନା ଅନୁଯାୟୀ ପର୍ବ ପର୍ବାଣୀମାନ ପାଳନ କରା ଯାଇଥାଏ । ଏହି ପୀଠକୁ ଓଡ଼ିଶାର ଦ୍ୱିତୀୟ କୋଣାର୍କ ଭାବେ ବିବେଚନା କରାଯାଏ । ଏଠାରେ ଚର୍ତୁମୁଖୀ ବ୍ରହ୍ମା ପୂଜା ପାଆନ୍ତି ଯାହା ଏସିଆ ମହାଦେଶର ଅଦ୍ୱିତୀୟ ଦର୍ଶନ ସ୍ଥାନ ବୋଲି କୁହାଯାଉଛି । ଐତିହାସିକମାନେ ଏହାକୁ ସୂର୍ଯ୍ୟ ଉପାସନ କ୍ଷେତ୍ର ବୋଲି ଚିହ୍ନିତ କରିଥାନ୍ତି । ଅଘିରା ପୂର୍ଣ୍ଣମୀର ପରଦିନରେ ଏଠାରେ ଗୁଣ୍ଡୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ଏଠାରେ ସୂଚନା ଥାଉକି, କୋଣାର୍କ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ବେଳେ ଏହି ବିରଞ୍ôଚନାରାୟଣ ମନ୍ଦିର ନବମ ଶତାବ୍ଦୀର ବୋଲି ଐତିହାସିକ ମତ ରହିଛି । ଚୂଳଚଢା ପର୍ବରେ ମୁଖ୍ୟ ପୂଜକ ରବିନାରାୟଣ ପଣ୍ଡା, ଅଜୟ ପଣ୍ଡା ଓ ସରୋଜ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ କରିଥିବା ବେଳେ ମନ୍ଦିର ଟ୍ରଷ୍ଟି ମୁଖ୍ୟ ସୁଧନ୍ୱା ନାୟକ, ମାଳି ସେବାୟତ ବିଜୟ ପାତ୍ର, ସରୋଜ କୁମାର ପାତ୍ର, ବାବାଜୀ ବିଶ୍ୱାଳ, ଚକ୍ରଧର ରାଉତ ଓ ବିକାଶ ମହାପାତ୍ର ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପ୍ରକଳ୍ପ ହାତକୁ ନିଆ ଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

