ରାଜ୍ୟ

ବିଜେପିରେ ଯୋଗ ଦେଇପାରନ୍ତି ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

Spread the love

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହୋଇପାରନ୍ତି। ଏନେଇ ଆଜି ସକାଳୁ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ବ୍ୟତୀତ ନୂଆପଡ଼ା ନିର୍ବାଚନ ମଣ୍ଡଳୀର କେତେକ ପ୍ରମୁଖ ବିଜେଡି ନେତା ବି ବିଜେପିରେ ସାମିଲ ହେବେ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର କେତେକ ପ୍ରମୁଖ ବିଜେଡି ନେତା ପଦ୍ମ ଧରିବେ ବୋଲି କୁହାଯାଉଛି।ସୂଚନାଯୋଗ୍ୟ, ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଠିକ୍ ଓ ତ୍ବରିତ ସୂଚନା ପ୍ରଦାନ କରିବା ପାଇଁ  ବିଜେଡି ଆଇଟି ସେଲ୍ ଗଠନ ହୋଇଥିଲା। ଏହାର ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ। ସେହିପରି ଏହି ସେଲ୍‌ର ସଦସ୍ୟ ଭାବେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ, ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀମୟୀ ‌ଶ୍ବେତା ସ୍ନିଗ୍ଧା ମିଶ୍ର ଏବଂ ପ୍ରସନଜିତ୍‌ ପତିଙ୍କୁ ଶ୍ରୀ ପଟ୍ଟନାୟକ ମନୋନୀତ କରିଥିଲେ।

 ୨୦୧୯ରେ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍‌ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ଦଳର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ୨୦୧୯ରେ ରାଜ୍ୟସଭାକୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *