ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ…ଦେବାଦେବୀଙ୍କୁ ବଡ଼ ବଡ଼ ଉପହାର ଦେଇଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା
ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ବଡ଼ ବଡ଼ କଳକାରଖାନା ଏବଂ ସାମଗ୍ରୀ ଉତ୍ପାଦନ କେନ୍ଦ୍ରମାନଙ୍କରେ ଆଜି ବିଶ୍ବ ନିର୍ମାତାଙ୍କ ପୂଜାର୍ଚ୍ଚନା କରାଯାଉଛି। ସେ କେତେ ସୃଜନଶୀଳ ଥିଲେ ତାହାର ପ୍ରମାଣ ବିଭିନ୍ନ ଯୁଗରେ ରହିଛି। ସବୁ ଯୁଗରେ ସେ ନିଜର କଳାକୃତି ଦ୍ବାରା ଦେବାଦେବୀଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତ୍ରେତୟା ଯୁଗରେ ମାତାସୀତାଙ୍କ ହରଣ ସମୟରେ ଲଙ୍କାପତି ରାବଣ ବ୍ୟବହାର କରିଥିବା ପୁଷ୍ପକ ଯାନ, ଦ୍ବାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବ୍ୟବହାର କରିଥିବା ସୁଦର୍ଶନ ଚକ୍ର ଓ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ବିଶ୍ବକର୍ମାଙ୍କ ସୃଜନଶୀଳତାର ଉଦାହରଣ ଦେଇଛି। ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଭଗବାନ ବିଶ୍ୱକର୍ମା ବ୍ୟକ୍ତିଗତ ଭାବରେ ଅନେକ ବିଳାସପୂର୍ଣ୍ଣ ରାଜାପ୍ରାସାଦ, ଅସ୍ତ୍ରଶସ୍ତ୍ର ଏବଂ ଯାନ ନିର୍ମାଣ କରିଥିଲେ, ଯେଉଁଥିରେ ଲଙ୍କା, ଇନ୍ଦ୍ରପ୍ରସ୍ଥ, ହସ୍ତିନାପୁର, ଜଗନ୍ନାଥ ମନ୍ଦିର, ଶିବଙ୍କର ତ୍ରିଶୂଳ, ଇନ୍ଦ୍ରଙ୍କ ବଜ୍ର ଅନ୍ତର୍ଭୁକ୍ତ। ଏସବୁ ମଧ୍ୟରୁ ଅନେକ ଆଜି ମଧ୍ୟ ବିଦ୍ୟମାନ। ଏହି ନିର୍ମାଣଗୁଡ଼ିକ ସ୍ଥାପତ୍ୟ ଏବଂ ଯାନ୍ତ୍ରିକ ଉତ୍କର୍ଷତାର ଉଲ୍ଲେଖନୀୟ ଉଦାହରଣ ପ୍ରଦାନ କରେ।ଦେବଶିଳ୍ପୀ ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ତଥା ସୃଜନର ଦେବତା। କୁହାଯାଏ, ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ବିଶ୍ବବ୍ରହ୍ମାଣ୍ଡ ନିର୍ମାଣ କରିଥିଲେ। ଏସବୁ ବାଦ୍ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦ୍ବାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ବକର୍ମା। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ବିଶ୍ବକର୍ମା ନିର୍ମାଣ କରିଥିଲେ ବୋଲି କଥିତ ଅଛି। ଜଗନ୍ନାଥ ଓ ବଳଭଦ୍ରଙ୍କ ଅପମାନ ସହି ନପାରି ମହାଲକ୍ଷ୍ମୀ ଯେତେବେଳେ ବାହାରକୁ ପାଦ କାଢ଼ିଛନ୍ତି ତାଙ୍କ ପାଇଁ ନୂତନ ଉଆସ ନିର୍ମାଣ ହେଉ ବା ବନ୍ଧୁ ସୁଦାମାଙ୍କୁ ଶ୍ରୀକୃଷ୍ଣ ଉପହାର ସ୍ବରୂପ ନୂତନ ଉଆସ ପ୍ରଦାନ ତାହା ବିଶ୍ବକର୍ମାଙ୍କ ସୃଷ୍ଟି ବୋଲି ପୁରାଣ କହେ।
ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି ।
ଯଦି ଆମେ ପୁଷ୍ପକ ବିମାନ କଥା କହିବା, ଏହି ରଥ ଭଗବାନ ବିଶ୍ୱକର୍ମାଙ୍କ କଳାର ଏକ ଉଲ୍ଲେଖନୀୟ ଉଦାହରଣ। ଏହା ସାରଥୀଙ୍କ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ଉଡ଼ି ଯାଇପାରୁଥିଲା। ଏହା କେବଳ ପୃଥିବୀରେ ନୁହେଁ ବରଂ ଗ୍ରହଗୁଡ଼ିକ ମଧ୍ୟରେ ମଧ୍ୟ ଯାତ୍ରା କରିପାରୁଥିଲା। ଏହି ରଥ ପାଖରେ ଆକୃତି ପରିବର୍ତ୍ତନ କରିବାର କ୍ଷମତା ଥିଲା।