ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮୦ଟି ଅସ୍ଥାୟୀ କୁଡ଼ିଆ ପୋଡିଯାଇଛି । ମୃତକ ଦୁଇ ଜଣ ସ୍କ୍ରାପ୍ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ। ଗତକାଲି ମଧ୍ୟ ରାତିରେ ଶ୍ରୀନଗରର ବେମିନା ଅଞ୍ଚଳର ଦୁର୍ବଲରେ ଏହି ଅଘଟଣ ଘଟିଛି ।
ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୨୩ ମିନିଟ୍ରେ ହଠାତ୍ ଏକ କୁଡ଼ିଆରେ ନିଆଁ ଲାଗିଥିଲା । କାଠ ଓ ତାରପାଲିନ୍ରେ ତିଆରି କୁଡ଼ିଆ ଥିବାରୁ ନିଆଁ ଖୁବ୍ କମ୍ ସମୟ ମଧ୍ୟରେ ସମଗ୍ର ଅଞ୍ଚଳକୁ ବ୍ୟାପି ଯାଇଥିଲା । ଫଳରେ ପ୍ରାୟ ୮୦ଟି ଅସ୍ଥାୟୀ କୁଡ଼ିଆ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇବା ମାତ୍ରେ JVC ଓ ରାୱଲପୋରା ଅଗ୍ନିଶମ କେନ୍ଦ୍ରର ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ । ପରେ ବାଟାମାଲୁସ୍ଥିତ ଅଗ୍ନିଶମ ମୁଖ୍ୟାଳୟରୁ ଅତିରିକ୍ତ ଟିମ୍କୁ ମଧ୍ୟ ଡକାଯାଇଥିଲା । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ବଡ଼ ଅପରେସନ୍ ଆରମ୍ଭ ହୋଇଥିଲା । ଦୀର୍ଘ ସମୟର ଉଦ୍ୟମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲିଭିବା ପରେ ଭଗ୍ନାବଶେଷ ତଳୁ ଦୁଇ ଜଣଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରେ ୨୭ ବର୍ଷୀୟ ମହମ୍ମଦ ନୁର ଆଲାମ ଏବଂ ୧୬ ବର୍ଷୀୟ ଅଲ୍ ଅମିନ୍ ରହିଛନ୍ତି । ଉଭୟ ଦିଲ୍ଲୀର ମୂଳ ବାସିନ୍ଦା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସ୍କ୍ରାପ୍ ସଂଗ୍ରହ କାମ କରୁଥିଲେ।
ଅନ୍ୟପଟେ ଘଟଣାସ୍ଥଳରେ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ଟିମ୍ ପହଞ୍ଚି ଯାଞ୍ଚ କରିଥିଲା । ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ମୃତଦେହ ଦୁଇଟିକୁ ପୋଲିସ ହେପାଜତକୁ ନିଆଯାଇଛି । ପୋଷ୍ଟମର୍ଟମ ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।

