ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅର୍ଣ୍ଣବ ର ପ୍ରଭାବରେ ଗତ ଦୁଇଦିନ ଧରି ବ୍ରହ୍ମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହି ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଗମ୍ଭୀର ରୂପ ନେଇଛି। ବାହାନା ନାଳର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି ଏବଂ ବହୁ ଲୋକଙ୍କ ଘର ଭିତରକୁ ବର୍ଷାଜଳ ପଶିଯାଇଛି। ବିଶେଷକରି ଖାରବେଳ ନଗର ନିକଟସ୍ଥ ରୁବି ଆଉ ହସ୍ପିଟାଲ ସମେତ ଗୋବିନ୍ଦ ବିହାରର ୮ମରୁ ୧୧ତମ ଗଳି ଏବଂ ଗୋପାଳପୁର ଜଙ୍କସନ୍ ନିକଟସ୍ଥ ଭକ୍ତ ସାଲବେଗ ନଗର ଅଞ୍ଚଳରେ ବର୍ଷାଜଳ ଜମି ରହିବା ସହ ଘରଗୁଡ଼ିକରେ ପାଣି ପଶିଯାଇଛି। ଫଳରେ ସ୍ଥାନୀୟ ବାସିନ୍ଦାମାନେ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ସେମାନଙ୍କର ଦୈନନ୍ଦିନ ଜୀବନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରତିବର୍ଷ ବର୍ଷା ଋତୁରେ ଏଭଳି ଜଳବନ୍ଦୀ ସମସ୍ୟା ଦେଖାଦେବା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ଓ ଠୋସ୍ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ..। ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ, ବ୍ରହ୍ମପୁର ମହାନଗର ନିଗମ, ଲୋକପ୍ରତିନିଧି, ନେତା, ମନ୍ତ୍ରୀ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ତୁରନ୍ତ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରନ୍ତୁ। ଏଥିସହ ଆବଶ୍ୟକ ପମ୍ପସେଟ୍ ନିୟୋଜନ, ଡ୍ରେନ୍ ସଫେଇ ଓ ଅନ୍ୟାନ୍ୟ ଜରୁରୀ ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ଏହି ଦୁର୍ଦ୍ଦଶାରୁ ଶୀଘ୍ର ମୁକ୍ତି ଦିଆଯାଉ।

