ମୁମ୍ବାଇ: ବଲିଉଡରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଆତଙ୍କ । କେବେ କାହାକୁ କରାଯାଇଛି ଟାର୍ଗେଟ୍? କେତେବେଳେ ଧମକପୂର୍ଣ୍ଣ ଚିଠି, କେତେବେଳେ କୋଟି କୋଟି ଟଙ୍କାର ବଟି ଦାବି । ଆଉ କେତେବେଳେ ଅଭିନେତାଙ୍କ ଘର ଓ ଗାଡ଼ିକୁ ଲକ୍ଷ୍ୟ କରି ଗୁଳିମାଡ଼ । ଗତ କିଛି ବର୍ଷ ଧରି ମୁମ୍ବାଇରେ ଘଟିଥିବା ଏକାଧିକ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ର ନାଁ ସାମ୍ନାକୁ ଆସିଛି । ବିଶେଷକରି ସୁପରଷ୍ଟାର ସଲମାନ ଖାନ୍ ଓ ତାଙ୍କ ନିକଟତର ବ୍ୟକ୍ତିଙ୍କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ ଉଠିଛି । ସଦ୍ୟ ଘଟଣାକ୍ରମରେ ଅଭିନେତା ଟାଇଗର ଶ୍ରଫ୍ ଙ୍କ ଗାଡ଼ି ଉପରେ ଗୁଳିମାଡ଼ ଘଟଣା ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ସୋସିଆଲ ମିଡିଆରେ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ଏହି ଆକ୍ରମଣ ପଛରେ ଦାବି ହୋଇଛି । ଏହା ସହିତ ସଲମାନଙ୍କ ସହ କାମ କରୁଥିବା କିମ୍ବା ତାଙ୍କ ନିକଟତର ରହୁଥିବା ଅନ୍ୟ କଳାକାରଙ୍କୁ ମଧ୍ୟ ଧମକ ଦିଆଯାଇଛି ।
୧୪ ଏପ୍ରିଲ ୨୦୨୪ରେ ସଲମାନଙ୍କ ଘର ଆଗରେ ଗୁଳିମାଡ଼ । ମୁମ୍ବାଇର ବାନ୍ଦ୍ରାସ୍ଥିତ ସଲମାନ ଖାନ୍ ଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଆଗରେ ଭୋର ସମୟରେ ଗୁଳିମାଡ଼ ହୋଇଥିଲା । ବାଇକ୍ ରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ସୌଭାଗ୍ୟବଶତଃ କେହି ଆହତ ହୋଇନଥିଲେ। ଏହି ଘଟଣା ପରେ ଲରେନ୍ସଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କ ନାଁରେ ସୋସିଆଲ ମିଡିଆରେ ଦାୟିତ୍ୱ ସ୍ୱୀକାର କରାଯାଇଥିଲା । ଏହାକୁ ସଲମାନଙ୍କ ପାଇଁ ଚେତାବନୀ ବୋଲି ଦର୍ଶାଯାଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ଏହି ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେହିପରି ୧୨ ଅକ୍ଟୋବର ୨୦୨୪ରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା । ସଲମାନ ଖାନ୍ ଙ୍କ ଘନିଷ୍ଠ ଭାବେ ପରିଚିତ ଏନ୍ ସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇର ବାନ୍ଦ୍ରାରେ ଗୁଳି କରି ହତ୍ୟା କରାଯାଇଥିଲା । ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ତିନିଜଣ ସଶସ୍ତ୍ର ଆକ୍ରମଣକାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ତଦନ୍ତ ବେଳେ ଏହି ହତ୍ୟାକାଣ୍ଡ ସହ ବିଷ୍ଣୋଇ ଗ୍ୟାଙ୍ଗ୍ ର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଥିଲା । ସଲମାନଙ୍କ ସହ ଘନିଷ୍ଠ ସମ୍ପର୍କ ଯୋଗୁଁ ବାବା ସିଦ୍ଦିକିଙ୍କୁ ଟାର୍ଗେଟ୍ କରାଯାଇଥିବା ତଦନ୍ତକାରୀଙ୍କ ମତ ଥିଲା । ମାମଲାରେ ଏକାଧିକ ଗିରଫଦାରୀ ହୋଇଥିଲା ।

