ତିହିଡି଼, ୧୧/୧୦: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଚକ ପଞ୍ଚାୟତର ନନ୍ଦପୁର ବଜାରରେ ସାର୍ବଜନୀନ ଦୁର୍ଗାପୂଜା ଆଜକୁ ୭୯ ବର୍ଷ ହେଲା ପାଳିତ ହୋଇ ଯାଇଛି। ଏହି ପୂଜା ପ୍ରଥମେ ୧୯୪୮ ମସିହାରେ ତଳପଦାର ଜମିଦାର ଇନ୍ଦ୍ରମଣି ମହାପାତ୍ର ଆରମ୍ଭ କରିଥିଲେ। ୧୯୫୦ମସିହା ପର୍ଯ୍ୟନ୍ତ ଏକ କୁଡ଼ିଆ ଘରେ ମା’ଙ୍କର ପୂଜାର୍ଚ୍ଚନା କରା ଯାଇଥିଲା। ପରେ ସ୍ୱର୍ଗତ ରବି ଭୋଇ, ବାଇଧର ପତି, ବାଞ୍ଛାନିଧି ଭୋଇ, ଗୟାଧର ଜେନା ଓ ବାଇଧର ନାୟକଙ୍କ ଉଦ୍ୟମରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇ ସର୍ବଜନୀନ ଦୂର୍ଗାପୂଜା ଆରମ୍ଭ କରା ଯାଇଥିଲା। ସେତେବେଳେ ଏମାନେ କଟକରୁ କାରିଗର ଶ୍ରୀଧର ରଣାଙ୍କୁ ଆଣି ମା’ଙ୍କର ମୂର୍ତ୍ତି ତିଆରି କରିଥିଲେ। ମା’ଙ୍କୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୦ ଖଣ୍ଡ ଗାଁର ଲୋକେ ପ୍ରତ୍ୟକ୍ଷ ଦେବୀ ବୋଲି ମାନି ଆସୁଛନ୍ତି। ଏମାନଙ୍କର ବିପଦ ଆପଦରେ ମା’ ଆପେ ଆପେ ଆସି ଛିଡା ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏପରିକି ପାଖ ଅଞ୍ଚଳର ଯେ କେହି ଲୋକ ଗାଁ ଛାଡି ସହରକୁ ଯାଏ ବା ଆସେ ଅବା ବୋହୁଭୂଆସୁଣୀ ବା ଝିଅମାନେ ବାପଘର ଓ ଶଶୁର ଘରକୁ ଯିବା ପାଇଁ ବାହାରିଲେ ଆଗ ମା’ଙ୍କ ପୀଠରୁ ଦର୍ଶନ କରି ଯାଆନ୍ତି। ପୂଜା ସମୟ ବାଦେ ଅନ୍ୟ ସମୟରେ ଦେବୀଙ୍କ ପ୍ରତିମା ମନ୍ଦିରରେ ନଥିଲେ ମଧ୍ୟ ମା’ଙ୍କ ଖାଲି ପଡ଼ିଥିବା ଆସ୍ଥାନକୁ ମୁଣ୍ଡିଆ ମାରି ସେମାନେ ଶୁଭ ମନାସି ଯାଇଥାନ୍ତି। ଏଠାକାର ପୂଜା ବିଧି ବି ନିଆରା। ପ୍ରତ୍ୟେକ ବର୍ଷ ମା’ଙ୍କ ମୃଣୟୀ ମୂର୍ତ୍ତି ତିଆରି ପାଣି ଗଣେଶ ଚତୁର୍ଥୀରୁ ମାଟି ଉଠା ଏବଂ ରାଧାଷ୍ଟମୀରେ ଏକମାଟିଆ ଓ ମହାଳୟାରେ ଖଡ଼ିଚଢ଼ା ଓ ରଙ୍ଗ କାର୍ଯ୍ୟ କରା ଯାଇଥାଏ। ମା’ଙ୍କ ଆବାହନ କାଳରୁ ଏଠାରେ ପୂଜା ସମୟରେ ମା’ଙ୍କ ନିକଟରେ କଖାରୁ ବଳି ପ୍ରଥା ରହି ଆସିଛି। ତେବେ ଏହି ପ୍ରତ୍ୟକ୍ଷ ଦେବୀଙ୍କର ଆଲୌକିକ ମହିମା ନିଆରା। ୧୯୯୦ ମସିହା ପୂଜା ସମୟରେ ପୂଜକଙ୍କ ବ୍ୟତିକ୍ରମ ଯୋଗୁଁ ଆସ୍ଥାନ ତଳୁ ନାଗ ସାପଟିଏ ବାହାରି ଫଣା ଟେକିଥିବା କଥା ଲୋକଙ୍କ ମୁହଁରୁ ଶୁଣାଯାଏ। ପୂଜକ ନିଜ ଭୁଲ ବୁଝିପାରି ନିଜେ ମାର୍ଜନା ହୋଇ ମା’ଙ୍କୁ ଶାନ୍ତ କରାଇବା ପରେ ନାଗ ଦେବତା ଉଭେଇ ଯାଇଥିଲେ।ଆଉ ଏକ ଘଟଣା ଏକଦା ଜୈନିକ ଘାତକ ଛେଳି ଟିଏ ମାରିବାକୁ ନେଉଥିବା ବେଳେ ଛେଳିଟି ଘାତକର ହାତରୁ ଖସି ଆସି ସିଧା ମା’ଙ୍କ ମନ୍ଦିର ବେଢାରେ ପହଞ୍ଚି ଥିଲା। ମା’ଙ୍କ ଦଇବ କୃପାରୁ ଏହି ଛେଳିଟି ମୃତ୍ୟୁ ମୂଖରୁ ବଞ୍ଚି ଯାଇଥିବାରୁ ଘାତକ ଛାଡି ପଳାଇଯାଇଥିଲା। ଏଠାରେ ୫ ଦିନ ଧରି ମା’ଙ୍କର ପୂଜା ଲାଗି ରହେ। ଆକର୍ଷଣୀୟ ତୋରଣ ସାଙ୍ଗକୁ ଲାଇଟ ର ସାଯ୍ୟଶାଯ୍ୟା ମଧ୍ୟରେ ପ୍ରତିଦିନ ହଜାର ହଜାର ଲୋକ ମା ଙ୍କୁ ଦର୍ଶନ କରିବା ସହ ଏଠାରେ ଅନ୍ନ ପ୍ରସାଦ କରା ଯାଇଥାଏ। ଗତ ତିନି ବର୍ଷ ଠାରୁ ପଲିଥିନରେ ଭୋଗ ନ ନେବା ପାଇଁ କମିଟି ପକ୍ଷରୁ ବାରଣ କରା ଯାଇଛି। ଶ୍ରଦ୍ଧାଳୁମାନେ ଚଳିତ ବର୍ଷ ଭୋଗ ନ ଆଣି ଭୋଗ ପାତ୍ରରେ ଆଣିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରା ଯାଇଛି। ଏହି ପୂଜା ଶାନ୍ତି ଶୁଙ୍ଖଳା ସହ ସମ୍ପୂର୍ଣ କରିବା ପାଇଁ ଏକ କମିଟି ଗଠନ କରା ଯାଇଛି। ଚଳିତ ବର୍ଷ କମିଟିର ସଭାପତି ଭାବେ ପୂର୍ଣଚନ୍ଦ୍ର ନାୟକ ସମ୍ପାଦକ କମଳାକାନ୍ତ ସାହୁ, ମୁଖ୍ୟ ଉପଦେଷ୍ଟା ସମାଜସେବୀ ସୂର୍ଯ୍ୟ ନାରାୟଣ ଭୋଇ, ଆଇନଜୀବି ନିକୁଞ୍ଜକୃଷ୍ଣ ପୁହାଣଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କମିଟିର ସମସ୍ତ ସଭ୍ୟ ସଭ୍ୟାମାନେ ପୂଜା କାର୍ଯ୍ୟ ପରିଚାଳନା କରିବେ। ଏହି ସର୍ବଜନୀନ ଦୂର୍ଗା ପୂଜାରେ ସ୍ଥାନୀୟ ଅଞ୍ଚଳର ସମସ୍ତ ବ୍ୟକ୍ତି ସହଯୋଗ କରିଥାନ୍ତି।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

