ରାଜ୍ୟ

ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ରାୟଗଡ଼ା ବିଜେଡି। ବରିଷ୍ଠ ନେତାଙ୍କ ଭିତରେ ରହିଥିବା ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି। ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ବିଜେଡି ଛାଡ଼ିଛନ୍ତି।

Spread the love

ରାୟଗଡା: ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ରାୟଗଡ଼ା ବିଜେଡି। ବରିଷ୍ଠ ନେତାଙ୍କ ଭିତରେ ରହିଥିବା ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି। ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ବିଜେଡି ଛାଡ଼ିଛନ୍ତି। ସେହିପରି ଗୁରୁବାର ଦିନ ରାୟଗଡ଼ା ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିବା ଗଙ୍ଗାଧର ପୁଆଲା ମଧ୍ୟ ଇସ୍ତଫା ଦେଇଛନ୍ତି।ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳରେ ନେତୃତ୍ବ ସଂକଟ ସୃଷ୍ଟି ହୋଇଥିଲା। ଦଳର ଜିଲ୍ଲା ମୁଖିଆ ପଦ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ରାଜ୍ୟ ନେତୃତ୍ବଙ୍କୁ ଜିଲ୍ଲା ସଭାପତି ଚୟନ କରିବାକୁ ମୁସ୍କିଲ ହୋଇଥିଲା। ବହୁ ଆଲୋଚନା ପରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିପରି ଦୁଇ ଗୋଷ୍ଠୀକୁ ସନ୍ତୁଷ୍ଟ କରିବାକୁ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା ଏବଂ ଗୁଣପୁର ଅଞ୍ଚଳର ବରିଷ୍ଠ ନେତା ରଞ୍ଜିତ କୁମାର ପାଣିଗ୍ରାହୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା।

ନବନିଯୁକ୍ତ କାର୍ଯ୍ୟକାରୀ ସଭାପତିଙ୍କ ଇସ୍ତଫା 8 ବିଜୁ ସ୍ବାଭିମାନ ମଞ୍ଚ ଲୋଗୋ ଉନ୍ମୋଚିତ

ରାଜ୍ୟ ନେତୃତ୍ବଙ୍କ ଏହି ନିଷ୍ପତ୍ତି କିନ୍ତୁ ଏନ୍‌.ଭାସ୍କର ରାଓ ଏବଂ ତାଙ୍କ ସମର୍ଥକ ଗ୍ରହଣ କରି ପାରିନଥିଲେ। ଆଜି ରାୟଗଡ଼ାରେ ଭାସ୍କରଙ୍କ ନେତୃତ୍ବରେ ଦଳର ବରିଷ୍ଠ କର୍ମୀ, ଶୁଭେଚ୍ଛୁ, ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧି ବୈଠକ କରିଥିଲେ। ବାରମ୍ବାର ଅଣଦେଖାର ଶିକାର ହୋଇଥିବାରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସାମ୍ବାଦିକ ସମ୍ମିଳନୀ କରି ଭାସ୍କର ଏହି ସୂଚନା ଦେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୭୪ ମସିହାରେ ଅଣକଂଗ୍ରେସ ରାଜନୀତିରେ ଯୋଗ ଦେଇ ୫୧ ବର୍ଷ ହେଲା ଜିଲ୍ଲାର ସ୍ବାର୍ଥ ପାଇଁ କାର୍ଯ୍ୟ କରିଛି ବୋଲି ଭାସ୍କର କହିଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ଦଳର କିଛି ଲୋକ ଭାସ୍କର ରାଓଙ୍କ ସାଂଗଠନିକ ଶକ୍ତି ନାହିଁ ବୋଲି ପ୍ରଚାର କରି ସେମାନଙ୍କ ସ୍ବାର୍ଥ ଅନୁସାରେ ଟିକେଟ୍‌ ପାଇଲେ। ନିର୍ବାଚନରେ ପରାଜୟ ପରେ ଭାସ୍କରଙ୍କ ଯୋଗୁଁ ରାୟଗଡ଼ା ଜିଲ୍ଲାରେ ବିଜେଡି ହାରିଗଲା ବୋଲି ପୁଣି ପ୍ରଚାର ହେଲା। ରାଜ୍ୟ ନେତୃତ୍ବ ରାୟଗଡ଼ାକୁ ଆସି ତଥ୍ୟ ସଂଗ୍ରହ କରିଥିଲେ ସୁଦ୍ଧା ସ୍ଥାନୀୟ କର୍ମୀ ଓ ନେତାଙ୍କ ମତାମତକୁ ବାରମ୍ବାର ଅଣଦେଖା କରି ନିଷ୍ପତ୍ତି ନେଉଥିଲେ। କିଛି ବର୍ଷ ହେଲା ରାଜ୍ୟ ସଂଗଠନର ନିଷ୍ପତ୍ତି ଦଳ ପାଇଁ କାର୍ଯ୍ୟ କରୁଥିବା ନେତା ଏବଂ କର୍ମୀଙ୍କୁ ବାରମ୍ବାର ଆଘାତ ଦେଇଥିଲା। ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛୁ। 

ତେବେ କୌଣସି ଦଳରେ ଯୋଗ ଦେବାର ନାହିଁ ବୋଲି ଭାସ୍କର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ‘ବିଜୁ ସ୍ୱାଭିମାନ ମଞ୍ଚ’ ଜରିଆରେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସହ ଯୋଡ଼ି ହୋଇ ରହିବେ। ବିଜୁ ସ୍ବାଭିମାନ ମଞ୍ଚ କୌଣସି ରାଜନୈତିକ ଦଳ ନୁହେଁ, ସାମାଜିକ ସଂସ୍ଥା ବୋଲି ଘୋଷଣା କରିଛନ୍ତି ଭାସ୍କର। ଏହି ଅବସରରେ ବିଜୁ ସ୍ବାଭିମାନ ମଞ୍ଚର ଲୋଗୋ ଏବଂ ବ୍ୟାନର ଉନ୍ମୋଚନ କରାଯାଇଥିଲା। ମଞ୍ଚ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବ ବୋଲି କୁହାଯାଇଛି। ଆଜିର ବୈଠକରେ ରାୟଗଡ଼ା ପୌରାଧ୍ୟକ୍ଷ, ବ୍ଲକ୍‌ ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, କାଉନସିଲର ଯୋଗ ଦେଇଥିଲେ। ବିଭିନ୍ନ ବ୍ଲକ୍‌ର ପଞ୍ଚାୟତ ତଥା ବ୍ଲକସ୍ତରୀୟ ନିର୍ବାଚିତ ନେତା ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ନିଯୁକ୍ତି ପରେ ଦଳରେ ବଡ଼ କଂପନ ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଯାହା ଆଜି ସତ ହୋଇଥିବା ବେଳେ ସମର୍ଥକଙ୍କ ସହ ଭାସ୍କର ଦଳ ଛାଡ଼ିବା ନୂଆ ସମୀକରଣକୁ ଜନ୍ମ ଦେଇଛି। ବରିଷ୍ଠ ନେତାଙ୍କ ଇସ୍ତଫା ଆଗାମୀ ପଞ୍ଚାୟତ ନିର୍ବାଚନକୁ କେତେ ପ୍ରଭାବିତ କରିବ ତାହା ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

Leave a Reply

Your email address will not be published. Required fields are marked *