ଭୁବନେଶ୍ବର: ରାଜ୍ୟରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍ସକୁ ନେଇ ସାଂଘାତିକ ଚିତ୍ର ସାମାନାକୁ ଆସିଛି। ୨୨୭ଟି ଆମ୍ବୁଲାନ୍ସ ହଠାତ୍ ଅଚଳ ହୋଇଯିବା କାରଣରୁ ରୋଗୀ ସେବାରୁ ବାଦ୍ ପଡ଼ିଛନ୍ତି। ଅଚଳ ହୋଇଥିବା ଏସବୁ ଆମ୍ବୁଲାନ୍ସ ଆସନ୍ତା କିଛିଦିନ ଭିତରେ ପୁଣି ଥରେ ରୋଗୀ ସେବାରେ ସାମିଲ ହେବା ଆଶଙ୍କା କମ୍। ଏଥିପାଇଁ ବିଭିନ୍ନ ଜିଲ୍ଲାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିବାକୁ ଯଥେଷ୍ଟ ବିଳମ୍ବ ହେଉଛି। ଆଗକୁ ଏହି ସ୍ଥିତି ଲାଗି ରହିଲେ ରାଜ୍ୟରେ ରୋଗୀ ସେବା ଏକପ୍ରକାର ଠପ୍ ହୋଇଯିବ। ରାଜ୍ୟରେ ଏବେ ୮୬୦ଟି ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଛି। ତହିଁରୁ ୪୨୦ଟି ଆମ୍ବୁଲାନ୍ସର ଅବଧି ଗତବର୍ଷ ଡିସେମ୍ବର ମାସରୁ ଶେଷ ହୋଇଯାଇଛି। ଏହା ବଦଳରେ ନୂଆ ଆମ୍ବୁଲାନ୍ସ କିଣାଯିବା କଥା। ମାତ୍ର ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା ନୂଆ ଆମ୍ବୁଲାନ୍ସ କିଣିବା ନିଷ୍ପତ୍ତି ହୋଇପାରୁନାହିଁ। ମାସ ମାସ ଧରି ତର୍ଜମା ପ୍ରକ୍ରିୟା ଜାରି ରହିଥିବାରୁ ଆମ୍ବୁଲାନ୍ସ କିଣା ବିଳମ୍ବ ହେଉଛି। ଅନ୍ୟପଟରେ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ୫ଲକ୍ଷରୁ ଅଧିକ କିମି ଚାଲିବା ଓ ୫ବର୍ଷ ଅବଧି ପୂରଣ ହୋଇଥିବାରୁ ଏସବୁ ଆମ୍ବୁଲାନ୍ସ ଆଉ ରୋଗୀ ସେବା ପ୍ରଦାନ ଅବସ୍ଥାରେ ନାହାନ୍ତି। କେଉଁଥିରୁ ପାଣି ଗଳୁଛି ତ ଆଉ କେଉଁଟି ଅଧା ବାଟରେ ବନ୍ଦ ହୋଇଯାଉଛି। ଯେତେ ମରାମତି କଲେ ବି ଗାଡ଼ି ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେଉନାହିଁ। ଧୀରେ ଧୀରେ ଗୋଟିଏ ଗୋଟିଏ ଆମ୍ବୁଲାନ୍ସ ରୋଗୀ ସେବାରୁ ବାଦ୍ ପଡ଼ୁଛନ୍ତି। ଆଜି ସୁଦ୍ଧା ସମୁଦାୟ ଗାଡ଼ିରୁ ୨୬% ୧୦୮ ଆମ୍ବୁଲାନ୍ସ ଅଫ୍ ରୋଡ୍ ହୋଇଯାଇଥିବା ସୂଚନା ମିଳିଛି।

