କାନାଡ଼ା: ଶୁକ୍ରବାର ସକାଳେ କାନାଡାର ଏଡମୋଣ୍ଟନର ନାନକସର ଗୁରୁଦ୍ୱାରରେ ଏକ ଆକ୍ରମଣ ହୋଇଥିଲା । ସନ୍ଧ୍ୟା ସମୟରେ ଗୁରୁଦ୍ବାରରେ ପ୍ରାର୍ଥନା ଚାଲିଥିଲାବେଳେ ଜଣେ ବ୍ୟକ୍ତି ହଠାତ୍ ସେଠାରେ ପ୍ରବେଶ କରିଥିଲେ । ଗୁରୁଦ୍ବାରର କର୍ମଚାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଏହା ବିବାଦର ରୂପ ନେଇଥିଲା । ଅଭିଯୁକ୍ତ କ୍ରୋଧରେ ସେଠାରେ ଉପସ୍ଥିତ ଥିବା ଦୁଇ ଜଣଙ୍କୁ ଛୁରାମାଡ଼ କରିଥିଲେ । ଦୁଇ ଜଣ ଆହତ ବ୍ୟକ୍ତିଙ୍କୁ ତୁଟନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତ ହେଲେ ଜଣେ ୭୫ ବର୍ଷୀୟ ପୂଜକ ଏବଂ ଅନ୍ୟ ଜଣେ ୫୧ ବର୍ଷୀୟ ସ୍ବେଚ୍ଛାସେବୀ । ଉଭୟଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଏହି ଘଟଣାଟି ପ୍ରାୟ ସକାଳ ୫ଟାରେ ଘଟିଥିଲା । ଜଣେ ୨୭ ବର୍ଷୀୟ ଯୁବକ ଏହି ଆକ୍ରମଣ କରିଥିବା ପୋଲିସ ସ୍ପଷ୍ଟ କରିଛି । ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଦେଖି ସେଠାରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ କାବୁ କରି ନେଇଥିଲେ ଏବଂ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କର ପୂର୍ବରୁ ଅନେକ ଅପରାଧିକ ରେକର୍ଡ ରହିଛି ଏବଂ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ସେ ଆଲବର୍ଟାର ଏକ ଫେଡେରାଲ ଜେଲରୁ ମୁକ୍ତ ହୋଇଥିଲା। ଜେଲରୁ ଖଲାସ ହେବା ପରେ ସେ ନିର୍ଦ୍ଧାରିତ ”ହାଫୱେ ହାଉସ”କୁ ନଯାଇ ଏହି ଆକ୍ରମଣ କରିଛି। ଏହି ମାମଲାରେ ପୁଲିସର ”ହେଟ୍ କ୍ରାଇମ” ତଦନ୍ତକାରୀ ଦଳ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ଏକ ଭୟଙ୍କର ଘଟଣା ବୋଲି କହିଛନ୍ତି ଏବଂ ଆହତ ଏବଂ ପ୍ରଭାବିତ ସମ୍ପ୍ରଦାୟ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସେହିପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସେ ଏଡମଣ୍ଟନ ପୁଲିସ ସେବାକୁ ଧନ୍ୟବାଦ ଜଣାଇଛନ୍ତି ।

