ତିହିଡି- ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ମିର୍ଜାପୁର ପାତ୍ରସାହିରେ ଜଣେ କେବୁଲ ଅପରେଟରଙ୍କ ମୃତ୍ୟୁକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୋଲିସ ମୃତକଙ୍କ ଜଣେ ଧରମ ଭଉଣୀଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣା ଯାଇଛି।

ଘଟଣାଟି ସଂଗୀନ ହୋଇଥିବାରୁ ସାଇଣ୍ଟିଫିକ ଟିମ୍ ତଦନ୍ତ କରି ଫେରି ଯାଇଛି ଏବଂ ସନ୍ଦେହରେ ଥିବା ଧରମ ଭଉଣୀଙ୍କ ଲାଏ ଡିକ୍ଟେସନ ଟେଷ୍ଟ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ମୁତାବକ, ତିହିଡି ଥାନାଧିନ ତାଳପଦା ଗ୍ରାମର ସ୍ବର୍ଗତ ନାରାୟଣ ଦାସଙ୍କ ପୁଅ ଭରତ ଚନ୍ଦ୍ର ଦାସ (୩୧) କେବୁଲ ଅପରେଟର କାମ କରନ୍ତି। ସେ ତିହିଡି ମିର୍ଜାପୁର ପାତ୍ରସାହିରେ ଏକ ଭଡା ଘରେ ରହି ଆସୁଥିଲେ। ଗୁରୁବାର ରାତିରେ ସେ ଭଡା ଘରେ ମଧ୍ଯ ଥିଲେ। ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଘରୁ ବାହାରି ନଥିବାରୁ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ତାଙ୍କର ମୃତ ଦେହ ଦେଖିବାକୁ ପାଇଥିଲା। ପରେ ପରିବାର ଲୋକେ ଆସିଥିଲେ। ମୃତ୍ୟୁକୁ ନେଇ ନାନାପ୍ରକାର ସନ୍ଦେହ ଉପୁଜିଥିଲା। ପୋଲିସ ଶବକୁ ଜବତ କରିବା ସହ ମୃତକଙ୍କ ମାଆ ଲକ୍ଷ୍ମୀପ୍ରିୟା ଦାସଙ୍କ ଏତଲା କ୍ରମେ ଏକ ହତ୍ୟା ମାମଲା ୩୨୭/୨୬, ଦଫା ୧୦୩(୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ସକାଳେ ସାଇଣ୍ଟିଫିକ ଓ ଚାନ୍ଦବାଲି ଏସଡିପିଓ ପ୍ରଭାସ ଚନ୍ଦ୍ର ସାହୁଙ୍କ ପକ୍ଷରୁ ତଦନ୍ତ କରାଯିବା ସହ ଶବର ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠା ଯାଇଥିଲା। ଆଇଆଇସି ଲୋପାମୁଦ୍ରା ନାୟକ ଓ ଆଇଓ ଭାବେ ଏସଆଇ ଦିପ୍ତୀ ମଞ୍ଜୁର ବଡ଼ଜେନାଙ୍କ ସମେତ ଅନ୍ଯାନ୍ଯ କର୍ମଚାରୀ ଉପସ୍ଥିତ ଥିଲେ। ଅପରାହ୍ନରେ ଧରମ ଭଉଣୀଙ୍କ ଭଉଣୀ ଚାନ୍ଦବାଲି ଥାନାଧିନ ଖେରଙ୍ଗ ଅଞ୍ଚଳର ପ୍ରଭାତୀ ରାଉତଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା ଚଳାଇଛି। ସୂଚନା ଅନୁଯାଇ, ସଂଧ୍ୟାରେ ଶୋକାକୁଳ ପରିବେଶରେ ଭରତଙ୍କ ଶେଷକୃତ ସମ୍ପନ୍ନ କରା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

