ବାଲେଶ୍ୱର, ତା.୦୬/୦୮/୨୬: ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା ପକ୍ଷରୁ ସନ୍ଥ ଶିରୋମଣି ରବିଦାସଙ୍କ ୬୫୦ତମ ଜନ୍ମବାର୍ଷିକୀ ପାଳନ, ‘ହର ଘର ତ୍ରିରଙ୍ଗା’ ଅଭିଯାନ ଏବଂ ୧୪ ଅଗଷ୍ଟରେ ପାଳନ କରାଯାଉଥିବା ବିଭାଜନ ବିଭୀଷିକା ସ୍ମୃତି ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ସିଦ୍ଧି କଲ୍ୟାଣ ମଣ୍ଡପରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ଉଭୟ କାର୍ଯ୍ଯକ୍ରମର ସଂଯୋଜକ ଭାବେ ପର୍ଶୁରାମ ପରିଡ଼ା ଓ ବିଜୟ ସାହୁ କାର୍ଯ୍ୟକ୍ରମର ରୂପରେଖ ବାବଦରେ ଅବଗତ କରାଇଥିଲେ।
ଏହି ବୈଠକରେ ଜିଲ୍ଲା ପ୍ରଭାରୀ ଶ୍ରୀ ଗୌତମ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ଆୟୋଜନ ପାଇଁ ବିସ୍ତୃତ ରୂପରେଖା ଉପସ୍ଥାପନ କରିଥିଲେ। ସେ ସମସ୍ତ ମଣ୍ଡଳ ଓ ଶକ୍ତିକେନ୍ଦ୍ର ସ୍ତରରେ ଜନସମ୍ପର୍କ ବୃଦ୍ଧି ସହ ବ୍ୟାପକ ଜନଭାଗିଦାରୀରେ କାର୍ଯ୍ୟକ୍ରମ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।
ମଞ୍ଚରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ଉପସଭାପତି ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯା ସୁଷମା ରାଣୀ ବିଶ୍ବାଳ ଓ ମମତା ମହାପାତ୍ର, ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ ମଞ୍ଚାସିନ ଥିଲେ।
ବକ୍ତାମାନେ କହିଥିଲେ ଯେ ସନ୍ଥ ଶିରୋମଣି ରବିଦାସ ଜଣେ ମହାନ ସନ୍ଥ, ସମାଜ ସଂସ୍କାରକ ଓ ସମତା, ଭ୍ରାତୃତ୍ୱ ଏବଂ ମାନବତାର ବାର୍ତ୍ତାବାହକ ଥିଲେ। ତାଙ୍କ ଜୀବନ ଓ ଆଦର୍ଶ ସାମାଜିକ ସମରସତା, ଜାତିଭେଦ ମୁକ୍ତ ସମାଜ ଗଠନ ଏବଂ ମାନବ ସେବା ପାଇଁ ସର୍ବଦା ପ୍ରେରଣା ଯୋଗାଇ ଆସୁଛି। ତାଙ୍କ ୬୫୦ତମ ଜନ୍ମବାର୍ଷିକୀ ଅବସରରେ ସମାଜରେ ଏକତା, ସଦ୍ଭାବ ଓ ସମାନତାର ବାର୍ତ୍ତା ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
‘ହର ଘର ତ୍ରିରଙ୍ଗା’ ଅଭିଯାନ ସମ୍ପର୍କରେ ବକ୍ତାମାନେ କହିଥିଲେ ଯେ ଜାତୀୟ ପତାକା କେବଳ ଦେଶର ପ୍ରତୀକ ନୁହେଁ, ଏହା ଆମର ଗୌରବ, ଐକ୍ୟ, ଆତ୍ମସମ୍ମାନ ଓ ଦେଶପ୍ରେମର ପ୍ରତୀକ। ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ ମାଧ୍ୟମରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏହି ଅଭିଯାନକୁ ସଫଳ କରିବା ପାଇଁ ଘରେ ଘରେ ପହଞ୍ଚି ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦିଆଯାଇଥିଲା।
୧୪ ଅଗଷ୍ଟରେ ପାଳନ କରାଯାଉଥିବା ବିଭାଜନ ବିଭୀଷିକା ସ୍ମୃତି ଦିବସ ସମ୍ପର୍କରେ ବକ୍ତାମାନେ କହିଥିଲେ ଯେ ଦେଶ ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ, ଘରଦ୍ୱାର ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ଅକଳ୍ପନୀୟ ଦୁଃଖ ଓ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ। ଏହି ଦିବସ ସେହି ପୀଡ଼ିତମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ଅଖଣ୍ଡ ଭାରତର ଚେତନାକୁ ସୁଦୃଢ଼ କରିବାର ଏକ ସୁଯୋଗ ବୋଲି ମତ ପ୍ରକାଶ ପାଇଥିଲା।
ବୈଠକରେ ଜିଲ୍ଲାର ସମସ୍ତ ପଦାଧିକାରୀ, ମୋର୍ଚ୍ଚା ସଭାପତି, ମଣ୍ଡଳ ସଭାପତି ଓ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ।
ଶେଷରେ ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

