ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଏବଂ ଖାଲି ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ନୁହେଁ, ନୀଳାଦ୍ରିବିଜେ ବି ସରିଯିବା ପରେ ଅମାନିଆ ଇସ୍କନ ସଂସ୍ଥା ପୁଣି ଥରେ ଆମେରିକା ର ଲସ ଏଞ୍ଜେଲସ୍ ( Los Angeles,California) କାଲିଫର୍ଣ୍ଣିଆ ଠାରେ ଗତ କାଲି ଅଗଷ୍ଟ ୨ ତାରିଖରେ ରଥ ଯାତ୍ରା କରି ମହାପ୍ରଭୁ ଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୁଣି କାଠ କଣ୍ଢେଇ ସଜାଇଛି।

ଏଥିପାଇଁ ସାରା ବିଶ୍ୱରେ ସମସ୍ତ ଜଗନ୍ନାଥ୍ ପ୍ରେମୀଙ୍କ ମନରେ ଘୋର ଅସନ୍ତୋଷ ଓ ଆଘାତ ସୃଷ୍ଟି ହୋଇଛି। ସମସ୍ତ ଜଗନ୍ନାଥ୍ ପ୍ରେମୀଙ୍କ ବାରମ୍ବାର ପ୍ରତିବାଦ କରିବା ସତ୍ତ୍ୱେ ମଧ୍ୟ ଅମନିଆ ଇସ୍କନ୍ କିଛି ଶୁଣିବାକୁ ପ୍ରସ୍ତୁତ ନୁହେଁ। ଏହି ଅଦିନିଆ ରଥଯାତ୍ରା ବିରୋଧରେ ଏହାକୁ ବନ୍ଦ କରିବାକୁ ଅନୁରୋଧ କରି ଆମେରିକା ରେ ବାସ କରୁଥିବା ପ୍ରାୟ ୧୦୦ ରୁ ଅଧିକ ଓଡ଼ିଆ ଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଇମେଲ ଜରିଆରେ ଡ ସୂର୍ୟ ପଟ୍ଟନାୟକ, ସଭାପତି,ଜଗନ୍ନାଥ୍ କଲ୍ଚରାଲ ଓ ଏଯୁକେସନାଲ ସେଣ୍ଟର୍, ସେଣ୍ଟ ଜୋସ, କାଲିଫର୍ଣ୍ଣିଆ ତରଫ ରୁ ଗତ ଜୁଲାଇ ୨୦ ତାରିଖରେ ଇସ୍କନ୍ ର ଜଗନ୍ନାଥ୍ ସ୍ବାମୀ ଦାସ, ସଭାପତି, ଇସ୍କନ୍ ବାର୍କେଲେ ମନ୍ଦିର ଙ୍କୁ ପଠାଯାଇଥିଲା।

ତା ସତ୍ତ୍ୱେ ବି ଅମାନିଆ ଇସ୍କନ ଗତକାଲି ଅଗଷ୍ଟ ୨ ତାରିଖରେ ଆମେରିକାର ଲସ ଏଞ୍ଜେଲସ୍ ଠାରେ ବହୁ ଧୂମଧାମ ରେ ପାଳନ କରିଛି। ଏହାକୁ ଆମେରିକାର ଲସ ଏଞ୍ଜେଲସ୍ ରେ ବସବାସ କରୁଥିବା ଓଡିଆ ଭାଇ ଭଉଣୀ ମାନେ ବୈକଟ କରିଥିଲେ ଓ ପ୍ରତିବାଦ କରିଥିଲେ। ଇସ୍କନ ର ଏହି ଅମାନିଆ ପଣ କୁ ପ୍ରତିହତ କରିବାକୁ ଓ ଏହାର ସ୍ଥାୟୀ ସମାଧାନ କରିବାକୁ ବିଗତ ଦିନରେ ଭାରତର ମହାମହିମ ରାଷ୍ଟ୍ରପତି ଙ୍କୁ ବି ଦିଲ୍ଲୀ ରେ ଥିବା ଓଡିଆ ଫୋରମ୍ ପକ୍ଷରୁ ଭେଟି ଅନୁରୋଧ କରାଯାଇଥିଲା। ସାରା ବିଶ୍ୱର ସମସ୍ତ ଜଗନ୍ନାଥ୍ ପ୍ରେମୀଙ୍କ ମତ ଯେ ଯେତେ ଶୀଘ୍ର ଭାରତର ପ୍ରଧାନମନ୍ତ୍ରୀ, ବିଦେଶ ମନ୍ତ୍ରୀ ଏବଂ ମହମହିମ୍ ରାଷ୍ଟ୍ରପତି ଙ୍କ ତରଫରୁ ଇସ୍କନ୍ ର ଦ୍ୱିତୀୟ ସଂସ୍ଥା ପଶ୍ଚିମବଙ୍ଗ ର ମାୟାପୁରୀ ଉପରେ ପ୍ରେସର୍ ଦିଆ ନଯିବ ଏହାର ସ୍ତୟୀ ସମାଧାନ ହୋଇ ପାରିବ ନାହିଁ ଏବଂ ଇସ୍କନ୍ ଏହିପରି ଅମାନିଆ ହୋଇ ଅଦିନରେ ରଥଯାତ୍ରା ଓ ସ୍ନାନ ଯାତ୍ରା ବର୍ଷ ସାରା କରିଚାଲି ଥିବ। ପ୍ରକାଶ ଥାଉକି ଇସ୍କନ୍ ର ମୂଳ ସଂସ୍ଥା ବାଙ୍ଗାଲୋର ଇସ୍କନ୍ ପ୍ରେସ ବିଜ୍ଞପ୍ତିରେ ଜରିଆ ରେ ସର୍ବସାଧାରଣ ଙ୍କୁ ଜଣାଇ ସାରିଛନ୍ତି ଯେ ସେମାନେ ଗଜପତି ମହାରାଜା ଙ୍କ ଉପଦେଶ ଅନୁସାରେ ତଥା ଶ୍ରୀ ଜଗନ୍ନାଥ୍ ପୁରୀ ର ନିର୍ଦ୍ଧାରିତ ପାଞ୍ଜି ଓ ତିଥି ଅନୁଯାୟୀ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ପାଳନ କରୁଛନ୍ତି ଓ କରିବେ।
ସାରା ବିଶ୍ୱର ସମସ୍ତ ଜଗନ୍ନାଥ୍ ପ୍ରେମୀଙ୍କ ସବିନୟ ଅନୁରୋଧ ରାଜ୍ୟ ସରକାର ତଥା କେନ୍ଦ୍ରସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ଓ ଇସ୍କନ୍ ର ଏହି ମନମାନି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ସବୁଦିନ ପାଇଁ ବନ୍ଦ କରନ୍ତୁ।

