ଜଗତସିଂହପୁର/ଭୁବନେଶ୍ୱର : ରାଜ୍ୟରେ ଜାରିଥିବା ବନ୍ୟା ସ୍ଥିତିରେ ଆଜି ପୃଥକ ପୃଥକ ସ୍ଥାନରେ ଭାସିଯାଇ ୫ ଜଣ ନିଖୋଜ ଅଛନ୍ତି । ଜଗତସିଂହପୁର ଏରସମା ବ୍ଲକ ଆମ୍ବିକି ଗ୍ରାମ ନିକଟ ହଂସୁଆ ନଦୀରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ୨ ଯୁବକ। ନିଖୋଜ ଯୁବକମାନେ ହେଲେ ବୁଟୁ କାଣ୍ଡି ଓ କାହ୍ନା କାଣ୍ଡି।
ଏରସମା ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଏରସମା ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରଖିଛି । ସେପଟେ ଭୁବନେଶ୍ୱରରେ ପୁଣି ଅଘଟଣ । କୁଆଖାଇ ବ୍ରିଜ୍ ରୁ ନଦୀକୁ ଡେଇଁଲେ ବୟସ୍କା ମହିଳା । ଖବର ଅଗ୍ନିଶମବାହିନୀ ଓ ମଞ୍ଚେଶ୍ବର ପୋଲିସ୍ ପହଞ୍ଚି ତନାଘନା ଜାରି ରଖିଛି ।
କେନ୍ଦୁଝର କାନପୁର ଡ୍ୟାମର ମୁଖ୍ୟ କେନାଲରେ ମଧ୍ୟ ଭାସିଗଲେ ଦୁଇ ଯୁବକ । ସନ୍ଧ୍ୟା ସମୟରେ ଗାଧୋଇବା ବେଳେ ପ୍ରଥମେ ଜଣେ ଭାସିଯିବା ବେଳେ, ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ମଧ୍ୟ ଭାସିଯାଇଥିଲେ । ଉଭୟ କେନାଲରେ କିଛି ବାଟ ଭାସିଯିବା ପରେ ଗଛରରେ ଲଟକି ଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜଣକୁ ଉଦ୍ଧାର କରିବା ସହ ଅନ୍ୟ ଯୁବକକୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ।

