ରେମୁଣା, ୩୧.୭: ରେମୁଣା ବ୍ଲକରେ ବନ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବ୍ଲକସ୍ତରୀୟ ବୈଠକରେ ବିଡିଓ ସାର୍ଥକ ସୌରଭ ମହାପାତ୍ର, ତହସିଲଦାର ବର୍ଷା ପରିଡ଼ାଙ୍କ ସମେତ କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ, ପାନୀୟ ଜଳ, ଯୋଗାଣ, ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଏବଂ ବିଭିନ୍ନ ରାଜସ୍ୱ ସର୍କଲର ଆରଆଇ ଓ ସୁପରଭାଇଜରମାନେ ଯୋଗଦେଇଥିଲେ।
ବୈଠକରେ ବିଧାୟକ ଶ୍ରୀ ଦାସ ବନ୍ୟା କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବା ସହ ପ୍ରଭାବିତଙ୍କୁ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ।
କୃଷି ବିଭାଗର ସୂଚନାନୁସାରେ ବ୍ଲକରେ ୨,୩୭୦ ହେକ୍ଟର ଜମିରେ ଧାନ ଚାଷ ଏବଂ ୨୨୮ ହେକ୍ଟରରେ ତଳି ପଡ଼ିଥିଲା। ସେଥିମଧ୍ୟରୁ ୧,୫୧୪ ହେକ୍ଟର ଜମି ଏବେ ମଧ୍ୟ ଜଳମଗ୍ନ ରହିଥିବାରୁ ସମ୍ପୂର୍ଣ୍ଣ ପାଣି ଛାଡ଼ିବା ପରେ କ୍ଷୟକ୍ଷତିର ସଠିକ୍ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଇଛି।
ମତ୍ସ୍ୟ ବିଭାଗର ତଥ୍ୟ ଅନୁଯାୟୀ ତାଳପଦା, ଇଞ୍ଚୁଡ଼ି, ତୁଣ୍ଡରା, ଶ୍ରୀଜଙ୍ଗ ଓ ମହାରାଜପୁର ପଞ୍ଚାୟତର ପ୍ରାୟ ୨୫ ହେକ୍ଟର ଅଞ୍ଚଳରେ ମାଛ ଚାଷ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୩୦ ହଜାରରୁ ଅଧିକ ଗାଈ, ମଇଁଷି, ଛେଳି ଓ ମେଣ୍ଢା ବନ୍ୟା ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ପାଇଁ ପଶୁଖାଦ୍ୟ ବିତରଣ କରାଯାଇଛି।
ବ୍ଲକ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ୪୪ କ୍ୱିଣ୍ଟାଲ ଚୁଡ଼ା ଓ ସାଢ଼େ ୪ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଥିବାବେଳେ ୨,୪୦୧ ପରିବାରର ୯,୧୫୭ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ମଧ୍ୟ ୧୧ଟି ମାଗଣା ରୋଷେଇ କେନ୍ଦ୍ର (ଫ୍ରି କିଚେନ) ଚାଲୁ ରହିଛି। ଏଥିସହ ୨୫୦ ପରିବାରକୁ ପଲିଥିନ ବିତରଣ କରାଯାଇଥିବାବେଳେ ଅଧିକ ଚୁଡ଼ା ଓ ଗୁଡ଼ ମଗାଯାଇଛି।
ଭାଙ୍ଗିଯାଇଥିବା ଘରର ସଠିକ୍ ଆକଳନ ଏପର୍ଯ୍ୟନ୍ତ ସରିନଥିବାବେଳେ ଆରଆଇମାନଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜାରି ରହିଛି। ବନ୍ୟା ପ୍ଲାବିତ ଅଞ୍ଚଳରେ ବ୍ଲିଚିଂ ପାଉଡର ଓ ହେଲୋଜିନ ବଟିକା ବଣ୍ଟନ, ନଳକୂପ ଚାରିପାଖ ସଫାସୁତରା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଶିଶୁମାନଙ୍କୁ ଝାଡ଼ା-ବାନ୍ତି ଭଳି ଜଳବାହିତ ରୋଗରୁ ସୁରକ୍ଷିତ ରଖିବା ପାଇଁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସତର୍କ ରହିବାକୁ କୁହାଯାଇଥିଲା।
ଏହାଛଡ଼ା ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟର ଶୀଘ୍ର ଆକଳନ କରି ସରକାରଙ୍କ ନିକଟକୁ ରିପୋର୍ଟ ପଠାଇବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ, ଯାହାଫଳରେ ଆବଶ୍ୟକ ଅନୁଦାନ ମିଳିବାରେ ସୁବିଧା ହେବ।

