ଭୁବନେଶ୍ୱର : ଉପର ମୁଣ୍ଡରେ ପ୍ରବଳ ବର୍ଷା । ହୀରାକୁଦରେ ବଢୁଛି ଜଳସ୍ତର । ସନ୍ଧ୍ୟା ସୁଦ୍ଧା ହୀରାକୁଦରେ ଖୋଲିବ ଅଧିକ ଗେଟ । ସେଥିପାଇଁ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କୁହାଯାଇଛି ପୂର୍ବାନୁମାନ ଠାରୁ ଅଧିକ ଆଲର୍ଟ ରହିବା ପାଇଁ । ଏବେ ହୀରାକୁଦରେ ୧୪ ଗେଟ ଖୋଲିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୧୦ ଫୁଟ ରହିଛି । ମହାନଦୀ ଅବବାହିକା ଜିଲ୍ଲା ଗୁଡିକୁ ସତର୍କ ରହିବାକୁ କୁହାଯାଇଛି। ତଳିଆରେ ବନ୍ୟା ପାଣି ପଶିଥିବା ବେଳେ ଏବେ ଆଉ ୧୪ ଗେଟ ଖୋଲିବା ପରେ ପୁଣି ଛନକା ପଶିଛି । ପାଣି ମୁଣ୍ଡୁଳିରେ ପହଁଚିଲା ବେଳକୁ ୪୦ ଘଣ୍ଟା ସମୟ ଲାଗିବ। ଏହା ଭିତରେ ମୁଣ୍ଡୁଳିରୁ ବନ୍ୟା ଜଳ ନିଷ୍କାସନ ହୋଇ ଯାଇଥିବ । ଏବେ ରାଜ୍ୟର ୧୫ ଜିଲ୍ଲା ବନ୍ୟା ପ୍ରଭାବିତ। ଯାଜପୁର, ଭଦ୍ରକ, ବାଲେଶ୍ବର ବହୁତ ଅଞ୍ଚଳ ଏବେ ବି ଜଳମଗ୍ନ ଅଛି। ୧୫ ଜିଲ୍ଲାର ୫୭ ବ୍ଲକର ୪୪୬ ଗ୍ରାମ ପଞ୍ଚାୟତ ୧ ହଜାର ୩୬୨ ଗାଁ ପ୍ରଭାବିତ ହୋଇଛି ।
ସେହିଭଳି ୧୧ ପୌରଞ୍ଚଳର ୧୭୪ ୱାର୍ଡ ପ୍ରଭାବିତ। ୭ ଲକ୍ଷ ଲୋକ ପ୍ରଭାବିତ। ୨ ଲକ୍ଷ ୮୮ହଜାର ୯୪୩ ଲୋକ ଜଳବନ୍ଦୀ । କୁଶଭଦ୍ରା, ଇବ, ଜଳକା, ଋଷିକୁଲ୍ୟା, ବୈତରଣୀ, ବ୍ରାହ୍ମଣୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ । ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, SRC, ପାଣିପାଗ ବିଜ୍ଞାନ, ଜଳସମ୍ପଦ ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି ।

