ଲଘୁଚାପ ଜନିତ ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଅନେକାଂଶରେ ସୁଧୁରିଥିଲେ ବି ସଂଖ୍ୟାଧରକ ଗ୍ରାମ ଏବେ ବି ବାହ୍ୟଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇରହିଛି ।

ଚତୁଃପାଶ୍ୱର୍ରେ ରାସ୍ତାଘାଟ ବୁଡିଯିବା କାରଣରୁ ସେଠାକାର ଜନସାଧାରଣଙ୍କ ସହ କୌଣସି ପ୍ରକାର ଯୋଗଯୋଗ ସମ୍ଭବପର ହୋଇନଥିବା ବେଳେ ବୋଟ ଯୋଗେ ସଦର ବିଧାୟକ ମାନସ କୁମାର ଦତ୍ତ ପହଂଚି ବନ୍ୟା ପ୍ରଭାବିତଙ୍କୁ ରିଲିଫ ପ୍ରଦାନ କରଛନ୍ତି ।

ଓଡ୍ରାଫ ପାୱାର ବୋଟରେ ବିଧାୟକ ଶ୍ରୀ ଦତ୍ତ ପ୍ରଥମେ କୁରାଡିହା ପଂଚାୟତର ଚାଉଳପୁରା ଓ ପରେ ସମସରପୁର ଗ୍ରାମରେ ପହଂଚି ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଛନ୍ତି । ଏହା ସହିତ ବିପଦ ସଙ୍କୁଳ କଚା ଘରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ସହ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପଂଚାୟତର ଲୋକ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ ନେଇ ବ୍ୟବସ୍ଥାର ସୁପରିଚାଳନା ଉପରେ ମଧ୍ୟ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଛନ୍ତି । କୁରାଡିହା ପଂଚାୟତରରେ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ସୁରକ୍ଷା, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ସେହିପରି ଜଳକା ନଦୀ ବନ୍ୟା ଜଳ ଘେରରେ ଥିବା ରସଲପୁର ପଂଚାୟତର ମନୁଡିହା ପାରଭିଲା ଗ୍ରାମରେ ପହଂଚି ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ବିଧାୟକ ଶ୍ରୀ ଦତ୍ତ । ଏହା ସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ତେବେ ସବୁଠାରୁ ଅଧିକ ବନ୍ୟାପ୍ରବଣ ଅଂଚଳ ରସଲପୁର ପଂଚାୟତର ଗୋବିନ୍ଦପୁର ଗ୍ରାମ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇରହିଥିବା ଖବର ପାଇ ବିଧାୟକ ଶ୍ରୀ ଦତ୍ତ ଦେଶୀ ଡଙ୍ଗା ଯୋଗେ ସେଠାରେ ପହଂଚି ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିଥିଲେ । ଏହା ସହିତ ସମସ୍ତଙ୍କୁ ମେଡିସିନ ଓ ପାନୀୟ ଜଳ ବଂଟନ କରିଥିଲେ । ପ୍ରତ୍ୟେକ ବନ୍ୟା ପିଡିତଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରିଲିଫ ସହାୟତା ପହଂଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତସୂଚନା ଦେଇଛନ୍ତି । ପରେ ଶ୍ରୀରାମପୁର ପଂଚାୟତର କାଡୁଲଡିହା ସମେ ଅନ୍ୟାନ୍ୟ ଗ୍ରାମ ପରିଦର୍ଶନ ସହ ବିଧାୟକ ବନ୍ୟା ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଥିଲେ ।

