ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ରେମୁଣା ବିଧାୟକ ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି।

ବିଧାୟକ ରେମୁଣା ନିର୍ବାଚନ ମଣ୍ଡଳୀର କଲ୍ୟାଣପୁର, ଭୀମପୁରା, ଗୁଡୁଦା, ନିଜାମପୁରା ପରି ସମସ୍ତ ପ୍ରମୁଖ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ରାଜ୍ୟ ସିଭିଲ ସପ୍ଲାଇଜ୍ କର୍ପୋରେସନର ଏମ୍ଡି କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲେଶ୍ୱର ପିଡି ସଞ୍ଜୟ ରାଉତ, ରେମୁଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌରଭ ସିଦ୍ଧାର୍ଥ ମହାପାତ୍ର, ତହସିଲଦାର ବର୍ଷା ପରିଡ଼ା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ଇନ୍ଚାର୍ଜ) ଅମ୍ଲାନ ନାୟକ, ଅତିରିକ୍ତ ତହସିଲଦାର ମନୋଜ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନଙ୍କ ସହ ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ ମଧ୍ୟ ଉପସ୍ଥିତ ଥିଲେ।

ପରିଦର୍ଶନ ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କର ଆବଶ୍ୟକତା ବିଷୟରେ ସମୀକ୍ଷା କରିଥିଲେ। ଏହାର ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ବିଧାୟକ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଭାବିତ ପରିବାରଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସହାୟତା ସାମଗ୍ରୀ ତୁରନ୍ତ ଯୋଗାଇବାକୁ ବ୍ୟବସ୍ଥା କରାଯାଇଥିଲା। ଏଥିସହ ଆବଶ୍ୟକ ସ୍ଥଳରେ ଅଧିକରୁ ଅଧିକ ଓଡ଼୍ରାଫ୍ (ODRAF) ଟିମ୍ ମୁତୟନ କରିବା ପାଇଁ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।

