ରାଜ୍ୟ

ଲକ୍ଷ୍ନୌ କାନାରା ବ୍ୟାଙ୍କରେ ଲାଗିଲା ନିଆଁ, ଝରକା ଦେଇ ତଳକୁ ଡେଇଁଲେ କର୍ମଚାରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳରେ ଥିବା କାନାରା ବ୍ୟାଙ୍କ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଉକ୍ତ କୋଠାର ପ୍ରଥମ ମହଲାରେ କାନାରା ବ୍ୟାଙ୍କ ଓ ପୁନାଓ୍ବାଲା ହାଉସିଂ ଫାଇନାନ୍ସର କାର୍ଯ୍ୟାଳୟ ରହିଛି । ସେଠାରେ ନିଆଁ ଲାଗିବା ପରେ କର୍ମଚାରୀମାନେ ଝରକାବାଟ ଦେଇ ତଳକୁ ଡେଉଁଥିବା ଦେଖାଯାଇଥିଲା ।ଅଗ୍ନିକାଣ୍ଡ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଦମକଳ ଟିମ୍ ସଦସ୍ୟମାନେ କୋଠାରେ ଫସି ରହିଥିବା ଲୋକଙ୍କୁ ବାହାର କରୁଥିବା ଦେଖିବାକୁ ମିଳୁଛି।

ହଜରତଗଞ୍ଜ ଅଞ୍ଚଳରେ ଅଗ୍ନିକାଣ୍ଡ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଆଖପାଖ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ମଧ୍ୟ ନିଜ ସ୍ତରରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ନିଆଁ ଏତେ ଜୋରରେ ବ୍ୟାପିଯାଇଥିଲା ଯେ କୋଠାରେ ପ୍ରବେଶ କରିବାକୁ କେହି ସାହସ ଜୁଟାଇ ପାରିନଥିଲେ ।

ଏହି ଅଗ୍ନିକାଣ୍ଡ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ଏଥିରେ ଦେଖାଯାଉଛି ଯେ ବ୍ୟାଙ୍କ କର୍ମଚାରୀମାନେ ଅଗ୍ନିକାଣ୍ଡରୁ ବର୍ତ୍ତିବାକୁ ଝରକା ବାଟଦେଇ ତଳକୁ ଓହ୍ଲାଉଛନ୍ତି । ପରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଏହି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *