ଚାମ୍ପିୟନ୍ସ ଟ୍ରଫି : ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ, ୩୫ ରନରେ ହରାଇଲା ୫ ଓ୍ବିକେଟ୍
ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫିର ଏକ ଲିଗ ମ୍ୟାଚ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ମାତ୍ର ୩୫ରନରେ ୫ଟି ଓ୍ବିକେଟ ହରାଇଥିଲା । ସର୍ବଶେଷ ସୂଚନା ଅନୁସାରେ ବାଂଲାଦେଶ ୨୧ ଓଭରରେ ମାତ୍ର ୮୩ ରନ କରି ୫ ଓ୍ବିକେଟ ହରାଇଛି ।ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ଟାଞ୍ଜିଦ ହୁସେନ ଓ ସୌମ୍ୟ ସରକାର ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ସରକାର ଖାତା ଖୋଲିବା ପୂର୍ବରୁ ମହମ୍ମଦ ସମ୍ମିଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ନଜମଲ ହୁସେନ ସାଣ୍ଟୋ ମଧ୍ୟ ଖାତା ଖୋଲିବା ପୂର୍ବରୁ ହର୍ଷିତ ରାଣାଙ୍କ ବଲରେ ବିରାଟ କୋହଲିଙ୍କ ହାତରେ ଧରା ପଡ଼ି ଆଉଟ ହୋଇଥିଲେ । ସେହିପରି ମେହେଦି ହାସାନ ମିରାଜ ମାତ୍ର ୫ ରନ କରି ସମ୍ମିଙ୍କ ବଲରେ ଶୁଭମନ ଗିଲଙ୍କ ହାତରେ ଧରା ପଡ଼ିଥିଲେ । ତେବେ ତାଞ୍ଜିଦ ୨୫ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ । ବର୍ତ୍ତମାନ ତାଓ୍ବିଦ ହ୍ରିଦୟ ଓ ଜାକର ଅଲ୍ଲି କ୍ରିଜରେ ରହି ପାଳିକୁ ସମ୍ଭାଳିବାକୁ ଉଦ୍ୟମ ଚଳାଇଛନ୍ତି । ହ୍ରିଦୟ ୨୩ ଓ ଜାକର ୨୧ ରନରେ ଅପରାଜିତ ଅଛନ୍ତି ।