ରାଜ୍ୟ

ଛତିଶଗଡ଼ରେ ବର୍ଷର ସବୁଠୁ ବଡ଼ ଏନ୍‌କାଉଣ୍ଟର: ୩୧ ନକ୍ସଲ ନିହତ, ୨ ଯବାନ ସହିଦ

ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରବିବାର ଚଳିତବର୍ଷର ସବୁଠାରୁ ବଡ଼ ଏନ୍‌କାଉଣ୍ଟର୍‌ ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ନିହତ ହୋଇଛନ୍ତି ୩୧ ନକ୍ସଲ। ଅପରେସନ୍‌ ଜାରି ରହିଥିବାରୁ ନିହତ ନକ୍ସଲଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଚଳିତ ମାସରେ ଛତିଶଗଡ଼ରେ ହେବାକୁ ଥିବା ପୌର ଏବଂ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ନକ୍ସଲଙ୍କ ଯୋଜନା ଥିଲା। କିନ୍ତୁ ଏହା ପୂର୍ବରୁ ସଂଗଠନକୁ ଶକ୍ତ ଝଟ୍‌କା ଲାଗିଛି। ଅପରପକ୍ଷରେ ନକ୍ସଲଙ୍କ ଗୁଳିରେ ଆହତ ୪ ଯବାନଙ୍କ ମଧ୍ୟରୁ ଦୁଇ ଜଣ ସହିଦ ହୋଇଥିବା ସୂଚନା ମିଳିଛି।ମହାରାଷ୍ଟ୍ର ସୀମାକୁ ଲାଗିଥିବା ଛତିଶଗଡ଼ର ବିଜାପୁର ଏବଂ ନାରାୟଣପୁର ଜିଲ୍ଲା ମଧ୍ୟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ବହୁ ସଂଖ୍ୟାରେ ନକ୍ସଲ ଠୁଳ ହୋଇଥିଲେ। ହିଂସା ଦ୍ବାରା ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବାକୁ ପ୍ରସ୍ତୁତି କରୁଥିଲେ। ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ସପ୍ତାହେ ହେଲା ଘଞ୍ଚ ଜଙ୍ଗଲରେ ସର୍ଚ୍ଚ ଅପ‌ରେସନ୍‌ ଚାଲିଥିଲା। ପ୍ରାୟ ୭୦୦ ଯବାନ ଅପରେସନ୍‌ରେ ସାମିଲ ହୋଇଥିଲେ। ଆଜି ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଯବାନ ପଶିଥିଲେ। ନକ୍ସଲଙ୍କ ଗୁପ୍ତ ଆଡ୍ଡା ନିକଟରେ ଯବାନ ପହଞ୍ଚିବା ବେଳକୁ ନକ୍ସଲ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ଯବାନ। ଉଭୟ ପକ୍ଷରୁ ପ୍ରାୟ ୪ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ଥମିବା ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପ୍ରଥମେ ୧୨ ନକ୍ସଲଙ୍କ ମୃତଦେହ ମିଳିଥିଲା। କିଛି ମିଟର ପର୍ଯ୍ୟନ୍ତ ରକ୍ତଛିଟାକୁ ଅନୁସରଣ କରିବାରୁ ଆହୁରି ୧୯ ନକ୍ସଲଙ୍କ ମୃତଦେହ ଠାବ ହୋଇଥିଲା।

ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ କହିବା ଅନୁସାରେ ତଲାସୀ ଅଭିଯାନ ଜାରି ରହିଛି। ଡିଆରଜି, ଏସ୍‌ଟିଏଫ୍‌ ଏବଂ ବସ୍ତର ଫାଇଟର ଯବାନ ଅପରେସନ୍‌ରେ ନିୟୋଜିତ ହୋଇଛନ୍ତି। ନକ୍ସଲଙ୍କ ଗୁଳିରେ ୪ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରୁ ଉଦ୍ଧାର କରି ସମସ୍ତଙ୍କୁ ଜଗଦଲପୁର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡିଆରଜି ଯବାନ ନରେଶ ଧ୍ରୁବ୍‌ ଏବଂ ଏସ୍‌ଟିଏଫ୍‌ ଯବାନ ବାସିତ ରାବତେ ସହିଦ ହୋଇଛନ୍ତି। ଡିଆର୍‌ଜି କନେଷ୍ଟବଳ ଜଗୁ କଲମୁ ଏବଂ ଏସ୍‌ଟିଏଫ୍‌ କନେଷ୍ଟବଳ ଗୁଲାବ ମାଣ୍ଡବିଙ୍କୁ ଏମ୍‌ଆଇ-୧୭ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନକ୍ସଲଙ୍କ ମୃତଦେହ ବିଜାପୁର ପୁଲିସ ମୁଖ୍ୟାଳୟ ପହଞ୍ଚିବା ପରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଘଟଣାସ୍ଥଳରୁ ଏକେ-୪୭, ଏସ୍‌ଏଲ୍‌ଆର୍‌, ଇନ୍‌ସାସ, ବିଜିଏଲ୍‌ ଲଞ୍ଚର୍‌ ସହ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ବଳିଦାନ ଦେଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରି ୨୦୨୬ ସୁଦ୍ଧା ଛତିଶଗଡ଼ ନକ୍ସଲମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଆଜିସୁଦ୍ଧା ଛତିଶଗଡ଼ରେ ୬୯ ନକ୍ସଲ ନିହତ ହୋଇ ସାରିଲେଣି।

Leave a Reply

Your email address will not be published. Required fields are marked *