ଏ କେମିତିକା ବନ୍ଧୁତ୍ବ! ଯୁଦ୍ଧରେ ତୁର୍କୀର ଅସ୍ତ୍ର ପ୍ରୟୋଗ କରୁଛି ପାକିସ୍ତାନ
ନୂଆଦିଲ୍ଳୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧରେ ପାକିସ୍ତାନ ଚୀନର ସର୍ବାଧିକ ଅସ୍ତ୍ର ବ୍ୟବହାର କରୁଥିବା ସହ ଏବେ ତୁର୍କୀ ଦେଇଥିବା କିଛି ଅସ୍ତ୍ର ମଧ୍ୟ ବ୍ୟବହାର କରୁଛି । ଚୀନ ପରେ ତୁର୍କୀ ଏବେ ପାକିସ୍ତାନକୁ ଅସ୍ତ୍ର ଯୋଗାଉଥିବାର ସବୁଠାରୁ ବଡ଼ ଦେଶ । ଏବେ ପାକିସ୍ତାନ ଲଗାତର ଭାବେ ତୁର୍କୀରୁ ଆଣିଥିବା ଡ୍ରୋନ ଭାରତ ଉପରେ ବ୍ୟବହାର କରୁଛି । ଦୀର୍ଘଦିନ ହେବ ତୁର୍କୀ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେବାରେ ଲାଗିଛି। ଭାରତ ଓ ତୁର୍କୀର ଏଭଳି ମେଣ୍ଟ ଦେଖିବା ପରେ ଭାରତ ମଧ୍ୟ ଆରବ ସାଗର ନିକଟସ୍ତ ଦେଶକୁ ନେଇ ମଧ୍ୟ ଏସିଆ ପର୍ଯ୍ୟନ୍ତ ନିଜର ରଣନୀତି ବଦଳାଇବାରେ ଲାଗିଛି ।
ଗତ ୨ ଦିନ ହେବ ପାକିସ୍ତାନ ତରଫରୁ ଭାରତ ଉପରେ ଯେଭଳି ଡ୍ରୋନ ଆକ୍ରମଣ କରାଯାଉଛି ତାର କଡ଼ା ଜବାବ ଦେଉଛି ଭାରତୀୟ ସେନା । ଏହି ଡ୍ରୋନ ମଧ୍ୟରୁ ୩୦୦ ରୁ ଅଧିକ ଡ୍ରୋନ ତୁର୍କୀ ପାକିସ୍ତାନକୁ ଦେଇଛି। ଏହା ତୁର୍କୀ ଦ୍ୱାରା ନିର୍ମାଣ କରାଯାଇଥିବା ନେଇ କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ସୂଚନା ଦେଇଛନ୍ତି।
ଭାରତ ଓ ପାକିସ୍ତାନ ଯୁଦ୍ଧର ଦୁଇଦିନ ପୂର୍ବରୁ ତୁର୍କୀର ଜଳ ଯୁଦ୍ଧ ଜାହାଜ କରାଚୀ ବନ୍ଦରରେ ଲାଗିଥିଲା। ସି-୧୩୦ ହରକ୍ୟୁଲେସ ସୈନ୍ୟ ପରିବହନ ବିମାନ ପାକିସ୍ତାନ ଆସିଥିଲା । କୁହାଯାଉଛି କି, ତୁର୍କୀ ଏହି ଜାହାଜରେ ପୂରା ସଜେଇ ହୋଇଥିବା ସେନା ପାକିସ୍ତାନକୁ ପଠାଇଥିଲେ। ତୁର୍କୀ ଏହାକୁ ସାଧାରଣ ପ୍ରକ୍ରିୟା ବୋଲି କହୁଥିବା ବେଳେ ବାସ୍ତବରେ ତୁର୍କୀ ପାକିସ୍ତାନକୁ ଭାରତ ବିରୋଧରେ ଯୁଦ୍ଧ କରିବା ନେଇ ସହାୟତା ଯୋଗାଉଛି । ଏସବୁ ଦେଖିବା ପରେ ଭାରତ ବିରୋଧରେ ଯେ ତୁର୍କୀ ପାକିସ୍ତାନକୁ ସହାୟତା କରୁଛି ତାହା ଅଛପା ନାହିଁ ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଦକ୍ଷିଣ ଏସିଆ ଦେଶମାନଙ୍କ ମଧ୍ୟରେ ତୁର୍କୀ ଏକମାତ୍ର ଦେଶ; ଯିଏକି ପାକିସ୍ତାନକୁ ସମର୍ଥନ କରୁଛି । ସେପଟେ ସାଉଦୀ ଆରବ ଓ ୟୁଏଇ ସହ ଭାରତର ମଜବୁତ ସଂପର୍କକୁ ସହି ପାରୁନି ତୁର୍କୀ । ସୂଚନା ଥାଉକି, ୟୁଏଇ ଓ ସାଉଦୀ ଆରବ ପୂର୍ବରୁ ପାକିସ୍ତାନର ସମର୍ଥକ ଥିଲେ ।
ଶୀତଳ ଯୁଦ୍ଧ ସମୟରେ ବି ତୁର୍କୀ ଓ ପାକିସ୍ତାନ ମିଳିତ ନେତୃତ୍ୱ ସେଣ୍ଟୋ ଓ ରିଜିଓନାଲ କୋଅପରେସନ ଡେଭଲପମେଣ୍ଟ ଦେଖିବାକୁ ମିଳିଥିଲା । ପାକିସ୍ତାନ ତୁର୍କୀ ଓ ଗ୍ରୀସ୍ ମଧ୍ୟରେ ଚାଲିଥିବା ଝଗଡାରେ ତୁର୍କୀର ସମର୍ଥନ କରିଥିଲା । ୧୯୬୪ ଓ ୧୯୭୧ ମସିହାରେ ତୁର୍କୀର ସଂକଟ ସମୟରେ ପାକିସ୍ତାନ ତାକୁ ସମର୍ଥନ କରିଥିଲା । ୧୯୮୩ ମସିହାରେ ପାକିସ୍ତାନ ସେନାର ଜେନରାଲ ଜିଆ ଓଲ ହକ୍ ଘୋଷଣା କରିଥିଲେ କି, ଯଦି ତୁର୍କୀ ଓ ସାଇପ୍ରସ ସ୍ୱାଧୀନ ହୁଏ ତେବେ ବିଶ୍ୱର ପ୍ରଥମ ଦେଶ ପାକିସ୍ତାନ ଯିଏ ଏହାକୁ ସ୍ୱୀକୃତି ଦେବ ।
ତୁର୍କୀର କଠୋରପନ୍ଥୀ ଇସଲାମିକ ନେତା ତାୟପ ଏର୍ଡୋଗାନ୍ ୨୦୦୩ ରେ କ୍ଷମତାକୁ ଆସିବା ପରେ ଦୁଇ ଦେଶର ସେନା ଓ ରାଜନୈତିକ ସହଯୋଗ ବୃଦ୍ଧି ପାଇଥିଲା । ଇର୍ଡୋଗାନ ଗତ ୨୧ ବର୍ଷ ମଧ୍ୟରେ ୧୦ ଥର ପାକିସ୍ତାନ ଗସ୍ତ କରିଛନ୍ତି ।
ଯଦି ଭୌଗଳିକ ଦୃଷ୍ଟିକୋଣରୁ ଦେଖିବା ତେବେ ତୁର୍କୀ ସାଉଦୀ ଆରବ ଓ ୟୁଏଇର ଏକଚାଟିଆ ଶାସନକୁ ବିରୋଧ କରୁଛି । ତେଣୁ ତୁର୍କୀ ପଶ୍ଚିମ ଏସିଆ ବାହାରେ ଇସଲାମିକ ଦେଶଗୁଡିକୁ ଏକଜୁଟ କରିବାରେ ଲାଗିଛି । ଏହି ଦେଶମାନଙ୍କ ମଧ୍ୟରେ ପାକିସ୍ତାନ ଓ ମାଲେସିଆ ସାମିଲ ରହିଛି ।
ପାକିସ୍ତାନ, ତୁର୍କୀ, କତାର, ମାଲେସିଆ ଓ ଇଣ୍ଡୋନେସିଆ ଭଳି ଇସଲାମିକ ଦେଶମାନେ ୨୦୧୯ ମସିହାରେ କୁଆଲାଲମ୍ପୁରରେ ଏକ ସମ୍ମିଳନୀର ଆୟୋଜନ କରିଥିଲେ । ଯାହାର ଉଦ୍ଦେଶ୍ୟ ଥିଲା ମୁସଲିମ୍ ସମୁଦାୟକୁ ଏକଜୁଟ କରିବା ।
ତୁର୍କୀ ହିନ୍ଦ୍ ମହାସାଗରେ ନିଜର ପ୍ରଭାବ ବିସ୍ତାର କରିବାକୁ ପ୍ରୟାସ କରୁଛି । ୨୦୧୭ ରେ ତୁର୍କୀ ସୋମାଲିଆରେ ଏକ ସେନା ଆଧାରିତ ବେସ୍ ସ୍ଥାପନ କରିଥିଲା । ଏହାସହ ସୋମାଲିଆ ସହ ଆର୍ଥିକ ଓ ସେନା ସହଯୋଗ ବୃଦ୍ଧି କରିଥିଲା । ଏହାସହ ଭାରତ ବିରୋଧରେ ଥିବା ମାଲଦୀପକୁ ତୁର୍କୀ ବାୟରକଟା ଟିବି-୨ ଡ୍ରୋନ ବି ବିକ୍ରି କରୁଛି ।
ତୁର୍କୀ ୨୦୦୦ ମସିହାରୁ ପାକିସ୍ତାନୀ ନୌସେନା ସହ କେତକ ଯୁଦ୍ଧାଭ୍ୟାସ କରିଛି । ପାକିସ୍ତାନର ଦୁର୍ବଳ ନୌସେନାକୁ ମଜବୁତ କରିବାକୁ ତୁର୍କୀ ସବୁପ୍ରକାର ସହାୟତା କରୁଛି । ତୁର୍କୀର ଏସଟିଏମ୍ ଡିଫେନ୍ସ ଟେକ୍ନୋଲୋଜି ୨୦୧୮ରେ ପାକିସ୍ତାନ ପାଇଁ ୪ଟି ଯୁଦ୍ଧ ବିମାନ ନିର୍ମାଣ କରିବାକୁ ୧ ଆରବ ଡଲାର ସହାୟତା କରିଥିଲା । ପାକିସ୍ତାନର ଅଗୋସ୍ତା ୯୦ ବି ଯୁଦ୍ଧ ଜାହାଜ ମଧ୍ୟ ତୁର୍କୀ ଅପଗ୍ରେଡ୍ କରୁଛି ।
ତୁର୍କୀର ରାଷ୍ଟ୍ରପତି ତାୟପ୍ ଏର୍ଡୋଗାନ ଅନେକ ଥର କହିଛନ୍ତି କି କଶ୍ମୀରବାସୀଙ୍କ ସହ ଆମେ ଅଛୁ । ସେପଟେ ପାକିସ୍ତାନ ସୋମବାର ଦିନ ସ୍ପଷ୍ଟ କରିଛି କି, ଚୀନ, ତୁର୍କୀ ଓ ଆଜରବେଇଜାନ ତାଙ୍କ ସମର୍ଥନରେ ରହିଛନ୍ତି ।
ଅସ୍ତ୍ର ବିକ୍ରୟ ଉପରେ ନଜର ରଖୁଥିବା ସଂସ୍ଥା ସିପ୍ରୀ ରିପୋର୍ଟ ମୁତାବକ ୨୦୧୫ ରୁ ୨୦୧୯ ଓ ୨୦୨୦ ରୁ ୨୦୨୪ ମଧ୍ୟରେ ତୁର୍କୀ ବିଶ୍ୱବ୍ୟାପୀ ଅସ୍ତ୍ର ବିକ୍ରୟ ୧୦୦ ଗୁଣା ବୃଦ୍ଧି କରିଛି । ତୁର୍କୀ ଏବେ ଚୀନ ପରେ ପାକିସ୍ତାନକୁ ଅସ୍ତ୍ର ବିକ୍ରି କରିବାର ଦ୍ୱିତୀୟ ବୃହତ ଦେଶ । କାଶ୍ମୀର ପ୍ରସଙ୍ଗରେ ତୁର୍କୀର ଏଭଳି ମନୋଭାବକୁ ନେଇ ଭାରତ ସ୍ପଷ୍ଟ କରିଛି କି, ଭାରତ ସହ ତୁର୍କୀ ଶତ୍ରୁତା କରୁ ହେଲେ ପାକିସ୍ତାନ ସହ ସଂପର୍କ ବୃଦ୍ଧି ନକରୁ ।