ସମ୍ଭାବ୍ୟ ‘ବାତ୍ୟା ଦାନା ‘ ର ମୁକାବିଲା ପାଇଁ ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଅପରାହ୍ନ ରେ ଏକ ପ୍ରସ୍ତତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଡ଼ିଓ ପାତ୍ରଙ୍କ ସମେତ ତହସିଲଦାର ଶରତ ଶବର, ସିଡିପିଓ ସନ୍ଧ୍ୟାାରାଣୀ ପଣ୍ଡା, ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ବ୍ଲକ କୃଷି ଅଧିକାରୀ ସୀତାଂଶୁ କୁମାର ମଲିକ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା,ଏବିଇଓ ବନମାଳୀ ମାଝୀ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରି ମାନେ ଯୋଗଦାନ କରିଥିଲେ।
ଆୟୋଜିତ କାର୍ଯକ୍ରମ ରେ ତହସିଲଦାର ଶରତ ଶବର କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଦାନା’ ଓଡିଶାର ବିଭିନ୍ନ ଜିଲାରେ ପ୍ରଭାବିତ କରିବ। ଏଥିରେ କନ୍ଧମାଳ ଜିଲାରେ ମଧ୍ୟ ପ୍ରଭାବିତ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ପୂର୍ବ ପ୍ରସ୍ତୁତି କରାଯିବା ସହ ପ୍ରଭାବିତ ଆଶଙ୍କା ରହିଥିବା ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳର ବ୍ୟବସ୍ଥା ସହ ଶୁଖିଲା ଖାଦ୍ୟ, ଆବଶ୍ୟକ ଔଷଧ, ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରଖାଯିବା ପାଇଁ ଆବଶ୍ୟକତା ରହିଛି। ଏଣୁ ବିଭିନ୍ନ ବିଷୟ ରେ ଆଲୋଚନା କରାଯାଇ ୨୫ ଗୋଟି ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟକ୍ରମ ଅଧିକାରୀ ମାନେ ନୋଡାଲ ଅଫିସର ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଧେଶ ଦିଆ ଯାଇ ଥିବା ବେଳେ ବିଭିନ୍ନ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ ଗୁଡିକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବା,ପାହାଡ଼ ଉପରେ କିମ୍ବା ପାହାଡ଼ ତଳେ ରହୁଥିବା ପରିବାର ଓ କଚ୍ଚା ଘରେ ରହୁଥିବା ପରିବାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା,୨୪ ଘଣ୍ଟିଆ ଜରୁରୀକାଳୀନ କାର୍ଯ୍ୟାଳୟ ଖୋଲା ରଖିବା ଓ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ପ୍ରସ୍ତୁତ ରହିବାକୁ ବିଡ଼ିଓ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ।
ସେହିପରି ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ପୂର୍ବରୁ ଦୁଇ ଦୁଇଟି ବାତ୍ୟାରେ ଭୂସ୍ଖଳନ ହୋଇଥିବା ନଜିର ରହିଥିବା ବେଳେ ଦାରିଙ୍ଗବାଡି-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ନଂ ଜାତୀୟରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇ ଦୀର୍ଘ ଦିନ ରାସ୍ତାରେ ଯାତାୟାତ ଠପ ହୋଇଥିବା ଦେଖାଯାଇଥିଲା। ତେଣୁ ଏହି ‘ଦାନା’ ବାତ୍ୟା ମଧ୍ୟ ପ୍ରଭାବିତ କରିବା ଆଶଙ୍କାରେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବିଡ଼ିଓ ପାତ୍ର କହିଛନ୍ତି।
ସେହିପରି ଗର୍ଭବତୀ ମହିଳା ଯେଉଁମାନଙ୍କ ପ୍ରସୂତିର ସମୟ ପାଖେଇଥିବ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ ଦିଲୀପ କୁମାର ବେହେରା କହିଛନ୍ତି। ସେହିପରି କୃଷକମାନଙ୍କ ଫସଲ ପାଇଁ ସତର୍କ ଓ ସଚେତନ କରାଯାଇଛି। ବିଶେଷ କରି ତଳ ଜମି ପାଇଁ ସମସ୍ୟା ରହିଛି ତେଣୁ କୃଷକଙ୍କୁ ସଚେତନ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଯୋଗଦେଇ କିଭଳି ପ୍ରାଣୀର ସୁରକ୍ଷା ସହ ବିଭିନ୍ନ ବିଭାଗର ରାସ୍ତାର ସୁରକ୍ଷା ସମ୍ପର୍କରେ କୁହାଯାଇଥିଲା।
ବାତ୍ୟାରେ ଯଦି ଗଛ, ପଥର, ମାଟି ଆଦି ପକ୍କା ରାସ୍ତା ଅବରୋଧ ହୁଏ ତେବେ ତାକୁ ମୁକାବିଲା ପାଇଁ କୁହାଯାଇଥିଲା। ବାତ୍ୟା ପାଇଁ ଅଗ୍ନିଶମ ବିଭାଗକୁ ମଧ୍ୟ ଆବଶ୍ୟକ ସରଞ୍ଜାମକୁ ପ୍ରସ୍ତୁତ ରଖିବାକୁ ବିଡ଼ିଓ ପାତ୍ର ଓ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗର ଫାୟାରମେନ ଜୁଗୁନୁ କୁମାର ବେହେରା ପ୍ରସ୍ତୁତ ସମ୍ପର୍କରେ ଅବଗତ କରାଇଥିଲେ। ପୋଲିସ ମଧ୍ୟ ବାତ୍ୟା ପ୍ରଭାବିତ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାକୁ ବୈଠକରେ କହିଥିଲେ।